ଗଜପତିରେ ଅର୍ନାମେଣ୍ଟାଲ ମାଛଚାଷ ଆରମ୍ଭ

ପାରଳାଖେମୁଣ୍ଡି,୮ା୮(ଡି.ଏନ୍‌.ଏ): ଗଜପତି ଜିଲା ପ୍ରଶାସନ ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତରେ ପହଞ୍ଚି ଲୋକଙ୍କ ଦୁଃଖସୁଖ ବୁଝିବା ସହ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ରୋଜଗାରର ବ୍ୟବସ୍ଥା କରିଛି। ଲୋକେ କିପରି ରୋଜଗାରକ୍ଷମ ହେବେ ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶ ଦ୍ୱାରା ପ୍ରଲୋଭିତ ହେବେ ନାହିଁ ତାହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ମହିଳାଙ୍କୁ ରୋଜଗାରକ୍ଷମ କରିବାକୁ ଉଦ୍ୟମ କରିଛି ଜିଲା ପ୍ରଶାସନ। ଜିଲାରେ ପ୍ରଥମ ଥର ପାଇଁ ଅର୍ନାମେଣ୍ଟାଲ ମାଛ ଚାଷ ଆରମ୍ଭ କରାଯାଇଛି। ପ୍ରଥମ ଥର ପାଇଁ ୩ ଲକ୍ଷ ଟଙ୍କା ବ୍ୟୟରେ ଅର୍ନାମେଣ୍ଟାଲ ମାଛ ଚାଷ ପ୍ରକଳ୍ପ ଆରମ୍ଭ କରାଯାଇଛି। ଲୋକେ ରଙ୍ଗୀନ ମାଛ ଚାଷ ସହିତ ଆବଶ୍ୟକ ସ୍ଥଳେ ଆକ୍ବାରିୟମ ମଧ୍ୟ ତିଆରି କରିପାରିବେ। ବଜାରରେ ଏହି ରଙ୍ଗୀନ ମାଛର ଚାହିଦା ରହିଥିବାରୁ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଏହାକୁ ବିକ୍ରି କରି ବେଶ ଲାଭବାନ ହୋଇପାରିବେ ବୋଲି ଜିଲାପାଳ କହିଛନ୍ତି। ଏଭଳି ଆଗକୁ ଆହୁରି ଅନେକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲାପାଳ ପଣ୍ଡା ସୂଚନା ଦେଇଛନ୍ତି। ଆନ୍ଧ୍ର ସୀମାରେ ଥିବା ଗଜପତି ଜିଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ବିଭିନ୍ନ ଗାଁକୁ ନିଜ ଅଧୀନକୁ ନେବା ପାଇଁ ଦୀର୍ଘ ବର୍ଷ ହେବ ଆନ୍ଧ୍ର ସରକାର ଚେଷ୍ଟା ଚଳାଇ ଲୋକଙ୍କୁ ରାସନ କାର୍ଡ ଠାରୁ ଆରମ୍ଭ କରି ଭୋଟର ପରିଚୟ ପତ୍ର ଯାଏଁ ସବୁ କିଛି ଯୋଗାଇ ସେମାନଙ୍କୁ ପ୍ରଲୋଭିତ କରିବାକୁ ପ୍ରୟାସ କରୁଛି। ଜିଲାପାଳ ପଣ୍ଡା କହିଛନ୍ତି ଯେ ଏହି ପଞ୍ଚାୟତ ଉପରେ ପ୍ରଶାସନର ସ୍ବତନ୍ତ୍ର ଦୃଷ୍ଟି ରହିଛି। ପଞ୍ଚାୟତକୁ ବର୍ତ୍ତମାନ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି। ଏହି ଅଞ୍ଚଳର ଲୋକେ କିଭଳି ରୋଜଗାରକ୍ଷମ ହେବେ ଏବଂ ଆନ୍ଧ୍ର ଦ୍ବାରା ପ୍ରଲୋଭିତ ହେବେ ନାହିଁ ସେଥିପ୍ରତି ଧ୍ୟାନ ଦେଇଛି ପ୍ରଶାସନ। ଏଠାକାର ମହିଳା ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ଓଡିଶା ଜୀବିକା ମିଶନ ପକ୍ଷରୁ ମହମବତୀ ତିଆରି, କୁକୁଡା ଚାଷ ଭଳି ଲାଭଜନକ ବ୍ୟବସାୟ ପାଇଁ ବ୍ୟବସ୍ଥା କରାଯାଇଛି।