Categories: Uncategorized

ବୁଡ଼ି ଯାଉଥିଲେ; ସମୁଦ୍ରରୁ ବକ୍ସିଂ କୋଚ୍‌, ଖେଳାଳିଙ୍କୁ ଉଦ୍ଧାର କଲେ ଓଡ଼ିଆ ଯୁବକ

ନୟାଗଡ଼ ଅଫିସ/ରଣପୁର,୧୩।୧(ସ୍ବ.ପ୍ର.): ପୁଡ଼ୁଚେରୀ ନିକଟ ସମୁଦ୍ରରେ ୩ଜଣ ବୁଡ଼ି ଯାଉଥିଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହା ଦେଖି ସେମାନଙ୍କୁ ଉଦ୍ଧାର କରିବାକୁ କେବଳ ଚିତ୍କାର କରୁଥିଲେ। ହେଲେ କେହି ସମୁଦ୍ର ଭିତରକୁ ଯାଇ ସେମାନଙ୍କୁ ରକ୍ଷା କରିବାକୁ ସାହସ କରି ପାରୁ ନ ଥିଲେ। ଏହି ସମୟରେ ସେଠାରେ ଥିବା ନୟାଗଡ଼ ଜିଲା ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତ ପଥରପୁଞ୍ଜି ଗଁାର ଚିତ୍ତରଞ୍ଜନ ପ୍ରଧାନ(୨୧) ନିଜ ଜୀବନକୁ ବାଜି ଲଗାଇ ୨ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ତାଙ୍କର ଏହି ସାହସିକତାକୁ ପୁଡ଼ୁଚେରୀ ବାଚସ୍ପତି ଆର.ସେଲଭମ୍‌ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ.ଷ୍ଟାଲିନ୍‌ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ଏପରି କି ଓଡ଼ିଶାର ବୀରପୁତ୍ର ବିଜୁ ପଟ୍ଟନାୟକଙ୍କ ସାହସ ସହିତ ଚିତ୍ତରଞ୍ଜନଙ୍କୁ ତୁଳନା କରିଛନ୍ତି। ଏହି ଘଟଣା ପରେ ବାଚସ୍ପତି ସେଲଭମ୍‌ ଚିତ୍ତରଞ୍ଜନଙ୍କୁ ତାମିଲନାଡୁ ବିଧାନସଭାକୁ ଡକାଇ ସମ୍ବର୍ଦ୍ଧିତ କରିଛନ୍ତି।

ସୂଚନା ଅନୁଯାୟୀ, ରାଜସୁନାଖଳା ଶ୍ରୀଅରବିନ୍ଦ ଆଶ୍ରମ ସ୍କୁଲର ପୁରାତନ ଛାତ୍ର ଚିତ୍ତରଞ୍ଜନ ପୁଡ଼ୁଚେରୀ ଶ୍ରୀଅରବିନ୍ଦ ଆଶ୍ରମରେ ଧ୍ୟାନ(ମେଡିଟେଶନ)କରିବାକୁ ଗତ ୫ ତାରିଖରେ ଯାଇଥିଲେ। ଜାନୁୟାରୀ ୮ରେ ତାଙ୍କର ଓଡ଼ିଶା ଫେରିବାର ଥିଲା। ସେଦିନ ପୁଡ଼ୁଚେରୀ ସମୁଦ୍ର ବେଳାଭୂମିରେ ଜାତୀୟ କନିଷ୍ଠ ବକ୍ସିଂ ପ୍ରତିଯୋଗିତା ଚାଲିଥିଲା। ଏଥିରେ ବିଭିନ୍ନ ଦେଶର ବକ୍ସର ଓ କୋଚ୍‌ ଯୋଗଦେଇଥିଲେ। ଚିତ୍ତରଞ୍ଜନ ୮ ତାରିଖ ଅପରାହ୍ନରେ ସମୁଦ୍ରକୂଳରେ ବୁଲୁ ଥିଲେ। ସମୁଦ୍ରରେ ବହୁ ଲୋକ ଗାଧୋଇ ମଜା ନେଉଥିଲେ। ହଠାତ୍‌ ସମୁଦ୍ରରେ ୩ଜଣ ବୁଡି ଯାଉଥିବା ଦେଖି ଲୋକମାନେ ପାଟି କରିଥିଲେ। ଏହି ସମୟରେ ଚିତ୍ତରଞ୍ଜନ ସମୁଦ୍ରକୁ ଡେଇଁ ପଡ଼ି ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଅଶାନ୍ତ ସମୁଦ୍ର ମଧ୍ୟରୁ ଚିତ୍ତରଞ୍ଜନ କେରଳର ବକି୍ସଂ କୋଚ୍‌ ସର୍ବେଶ୍ୱରନ ଓ ଜାତୀୟ କନିଷ୍ଠ ବକି୍ସଂ ଗୋଲ୍ଡ ମେଡାଲିଷ୍ଟ ତଥା ତାମିଲନାଡୁର କୋଏମ୍ବାଟୁର ସହରର ଅମ୍ରିଥା ଶିବକୁମାର(୧୭) ନାମ୍ନୀ ଛାତ୍ରୀଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ହେଲେ ଅନ୍ୟ ଜଣେ ଛାତ୍ରୀଙ୍କୁ ବଞ୍ଚାଇ ପାରି ନ ଥିଲେ। ଏନେଇ ଚିତ୍ତରଞ୍ଜନ କୁହନ୍ତି, ପୁଡ଼ୁଚେରୀର ସମୁଦ୍ର ସମ୍ପର୍କରେ ମୁଁ ଅଜଣା ଥିଲି। ହେଲେ ବୁଡ଼ିଯାଉଥିବା ୩ଜଣଙ୍କୁ ଦେଖି ମୁଁ ନିଜକୁ ସମ୍ଭାଳି ପାରି ନ ଥିଲି। ବଡ଼ ବଡ଼ ଲହଡ଼ି କାଟି ମୁଁ ସମୁଦ୍ରକୁ ଡେଇଁ ପଡିଥିଲି। ଭାଗ୍ୟକୁ ୨ଜଣଙ୍କ ଜୀବନ ବଞ୍ଚାଇ ପାରିଥିଲି। ଅନ୍ୟଜଣଙ୍କ ଟେର୍‌ ପାଇ ନ ଥିଲି।