ଏମ୍‌ଟିଭି ରିଆଲିଟି ଶୋ’ରେ ଓଡ଼ିଆ ଝିଅ ସ୍ବପ୍ନା ପ୍ରିୟଦର୍ଶିନୀ

ଏମ୍‌ଟିଭିର ମଡେଲିଂ ରିଆଲିଟି ଶୋ’ରେ ଚମକିଛନ୍ତି ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳର ୧୯ ବର୍ଷୀୟା ସ୍ବପ୍ନା ପ୍ରିୟଦର୍ଶିନୀ। ସୁପର ମଡେଲ ଅଫ୍‌ ଦି ଇୟର ସିଜନ-୨ରେ ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବେ ସେ ଅଂଶଗ୍ରହଣ କରିଛନ୍ତି। ପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ତାଳେ ତାଳେ ଦମ୍‌ଦାର ନୃତ୍ୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରବିବାର ସକାଳେ ଟିଭିରେ ଏହାର ପ୍ରସାରଣ ହେବା ପରେ ସ୍ବପ୍ନା ପାଲଟିଯାଇଛନ୍ତି ନୂଆ ମଡେଲ ସେନ୍‌ସେଶନ। ଭାଇକମ୍‌ ୧୮ ପ୍ରଯୋଜନା ସଂସ୍ଥା ଦ୍ୱାରା ଏମ୍‌. ଟିଭିର ‘ସୁପର ମଡେଲ ଅଫ୍‌ ଦି ଇୟର ସିଜନ-୨’ ପ୍ରତିଯୋଗିତା ପାଇଁ ଚୟନ ହୋଇଥିବା ୧୫ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଏକମାତ୍ର ଓଡ଼ିଆ ଝିଅ ଭାବେ ଅଂଶଗ୍ରହଣ କରିଛନ୍ତି ସ୍ବପ୍ନା। ମୁମ୍ବାଇରୁ ଫୋନ୍‌ ଯୋଗେ ‘ଧରିତ୍ରୀ’କୁ ସୂଚନା ଦେଇ ସ୍ବପ୍ନା କହିଛନ୍ତି, ଏକମାତ୍ର ଓଡ଼ିଆ ଝିଅ ଭାବେ ସୁପର ମଡେଲ କ୍ରାଉନ ପ୍ରତିଯୋଗିତାରେ ଭାଗ ନେଇଥିବାରୁ ସେ ଗର୍ବିତ। ସ୍ବପ୍ନା ସେ ଏବେ ଆମିଟି ବିଶ୍ୱବିଦ୍ୟାଳୟରେ ବ୍ୟାଚ୍‌ଲର ଇନ୍‌ ବିଜନେସ୍‌ ଆଡମିନିଷ୍ଟ୍ରେଶନ (ବିବିଏ)ରେ ପଢୁଛନ୍ତି। ତାଙ୍କ ବାପା ବିଶ୍ୱଜିତ୍‌ ରାଉତରାୟ ମୁମ୍ବାଇ ପଶ୍ଚିମ ସର୍କଲ ଅଞ୍ଚଳରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ମୁଖ୍ୟ ପରିଚାଳକ ଅଛନ୍ତି। ସ୍ବପ୍ନାଙ୍କ ମଡେଲିଂ ସ୍ବପ୍ନକୁ ସାକାର କରିବାକୁ ମା’ ମଧୁମିତା ରାଉତରାୟ ଭରପୂର ସମର୍ଥନ କରି ଆସୁଛନ୍ତି।

Share