ଡବ୍ଲ୍ୟୁଏଫ୍‌ପି ସଫଳତା ପଛରେ ଓଡ଼ିଆ ପୁଅ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ୨୦୨୦ ମସିହା ଲାଗି ନୋବେଲ ଶାନ୍ତି ପୁରସ୍କାର ପାଇଛି ୱାର୍ଲଡ୍‌ ଫୁଡ୍‌ ପ୍ରୋଗ୍ରାମ(ଡବ୍ଲ୍ୟୁଏଫ୍‌ପି)। କ୍ଷୁଧା ବିରୋଧରେ ଲଢ଼େଇ ଓ କ୍ଷୁଧାମୁକ୍ତି ପାଇଁ କାର୍ଯ୍ୟ କରୁଥିବା ଡବ୍ଲ୍ୟୁଏଫ୍‌ପିକୁ ନୋବେଲ ପୁରସ୍କାର ଦୌଡ଼ରେ ସାମିଲ କରିଥିବା କେତେଜଣ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଆ ପୁଅ ପ୍ରଣବ ଖୈତାନ। ଡବ୍ଲ୍ୟୁଏଫ୍‌ପିର ଆଡ୍‌ଭାଇଜରି କାଉନ୍‌ସିଲ୍‌ ସଦସ୍ୟ ଥିବା ପ୍ରଣବ କାର୍ଯ୍ୟକ୍ରମର ସଫଳତା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ପ୍ରଣବଙ୍କ ପରିବାର ବର୍ତ୍ତମାନ ରାଉରକେଲାରେ ରହୁଛନ୍ତି। ସେ ୨୦୦୯ରେ ରାଉରକେଲା ଏନ୍‌ଆଇଟିରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ୍‌ ପରେ ଆମେରିକାର ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଏବେ ସେ ଗୁଗଲ୍‌ରେ ସିନିୟର ଇଞ୍ଜିନିୟରିଂ ଲିଡ୍‌ ଭାବେ କାର୍ଯ୍ୟ କରୁଥିବାବେଳେ ଡବ୍ଲ୍ୟୁଏଫ୍‌ପିର ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ଟେକ୍ନୋଲୋଜି ଲିଡର ମଧ୍ୟ ରହିଛନ୍ତି। ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ଲାଭ ଓ ଉପଯୋଗିତା ଯେପରି ସମଗ୍ର ବିଶ୍ୱରେ ପହଞ୍ଚାଇବା ଲକ୍ଷ୍ୟନେଇ ଡବ୍ଲ୍ୟୁଏଫ୍‌ପି ସହ ହାତ ମିଳାଇଥିଲେ ପ୍ରଣବ। ତାଙ୍କ ଉଦ୍ୟମ ଯୋଗୁ ଆଜି ଜାତିସଂଘର ଏହି ବିଶ୍ୱସ୍ତରୀୟ ସଂସ୍ଥା କୋଟି କୋଟି ଲୋକଙ୍କ କ୍ଷୁଧା ଦୂର କରିପାରିଛି। ପ୍ରଣବଙ୍କ ଦ୍ୱାରା ନିର୍ମିତ ସ୍ବତନ୍ତ୍ର ଏଆଇ ଟେକ୍ନୋଲୋଜି ମାଧ୍ୟମରେ ମାତ୍ର ୨୪ରୁ ୭୨ଘଣ୍ଟା ଭିତରେ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥିବା ଅଞ୍ଚଳର କ୍ଷୟକ୍ଷତି ଆକଳନ କରିହେଉଛି। କଠିନ ପରିସ୍ଥିତିରେ ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କ ନିକଟରେ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଯାଇପାରୁଛି। ଏହାଦ୍ୱାରା ଡବ୍ଲ୍ୟୁଏଫ୍‌ପିର ସହଯୋଗର ହାତ ଜରୁରୀ ଲୋକଙ୍କ ନିକଟରେ ପହଞ୍ଚତ୍ପାରୁଛି। ତେବେ ନିଜର ଏହି ସଫଳତା ପାଇଁ ଏନ୍‌ଆଇ ରାଉରକେଲା ସହ ସମସ୍ତ ଶିକ୍ଷକ ଏବଂ ପରିବାର ଲୋକଙ୍କୁ ପ୍ରଣବ ଶ୍ରେୟ ଦେଇଛନ୍ତି। ୨୦୩୦ ସୁଦ୍ଧା ବିଶ୍ୱରେ କ୍ଷୁଧା ଦୂର କରିବା, ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଓ ପୋଷଣ ଅଭାବ ଭଳି ସମସ୍ୟାକୁ ଦୂରୀଭୂତ କରିବା ୱାର୍ଲଡ ଫୁଡ୍‌ ପ୍ରୋଗ୍ରାମର ମୁଖ୍ୟ ଲକ୍ଷ୍ୟ ହୋଇଥିବାବେଳେ ପ୍ରଣବ ଗୁଗଲ ଟିମ୍‌ ସହ ମିଶି ଏହି ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ପ୍ରଣବଙ୍କ ଏହି ସଫଳତା ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି।