ମିଳୁନି ମୂଳଧନ, କ୍ଷତିରେ ଚାଷୀ

ପଦ୍ମପୁର,୨୯।୧୨(ଡି.ଏନ.ଏ.): ପନିପରିବାର ଦାମ୍‌ ଆଶାତୀତ କମିଯିବାରୁ ଚାଷୀମୁଣ୍ତରେ ଚଡ଼କ ପଡିଛି। ଅକ୍ଲାନ୍ତ ପରିଶ୍ରମ ପରେ ଚଳିତ ବର୍ଷ ପନିପରିବା ଚାଷ ଭଲ ହୋଇଥିଲା। ଚାଷୀ କିଛି ଲାଭ ପାଇବ ବୋଲି ଆଶା କରିଥିଲେ। କିନ୍ତୁ ଅମଳ ସମୟରେ ପରିବା ଦର କମିଯିବାରୁ ଆଶା ଧୂଳିସାତ ହୋଇଯାଇଛି। ବର୍ତ୍ତମାନ ପଦ୍ମପୁର ଅଞ୍ଚଳରେ ଟମାଟୋ କେଜି ପ୍ରତି ୨ଟଙ୍କା, ଫୁଲକୋବି ୧୦ଟଙ୍କାରେ ଦେଢକେଜି, ବନ୍ଧାକୋବି ଗୋଟାକୁ ୫ଟଙ୍କା, ବାଇଗଣ କେଜି ୩ଟଙ୍କା ଏଭଳି ଭାବେ ସମସ୍ତ ପନିପରିବା ଦର କମିଯାଇଛି।

ଚାଷୀ ଧାରକରଜ କରି ଚାଷ କରିଥିଲେ। ବର୍ତ୍ତମାନ ମୂଳଧନ ମିଳୁ ନ ଥିବାରୁ ଚାଷୀ ମୁଣ୍ତରେ ହାତ ଦେଇବସିଛି। ପନିପରିବା ଚାଷୀମାନଙ୍କୁ ସରକାର ପ୍ରୋତ୍ସାହିତ କରୁଥିବା ବେଳେ ବଜାର ବ୍ୟବସ୍ଥା ଠିକ୍‌ ନ ଥିବାରୁ ବହୁତ କ୍ଷତି ସହିବାକୁ ପଡୁଛି। ସରକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।