Categories: ଜାତୀୟ

ସାଂଗଠନିକ ଅଦଳବଦଳ: ୭ ବଡ଼ ରାଜନୈତିକ ସଙ୍କେତକୁ କରୁଛି ସୂଚିତ !

ନୂଆଦିଲ୍ଲୀ, ୧୨।୯: ବିହାର ଏବଂ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳରେ ସାଂଗଠନିକ କ୍ଷେତ୍ରରେ ଅଦଳବଦଳ କରାଯାଇଛି। କଂଗ୍ରେସ ଓ୍ବାର୍କିଂ କମିଟିଠାରୁ ଆରମ୍ଭ କରି ରାଜ୍ୟ ପ୍ରଭାରୀ ମହାସଚିବ ଏବଂ ପ୍ରଭାରୀ ସଚିବ ପର୍ଯ୍ୟନ୍ତ ପଦବୀରେ ପରିବର୍ତ୍ତନ କରାଯାଇଛି। ଅଧ୍ୟକ୍ଷ ନିର୍ବାଚନ ପାଇଁ ମଧ୍ୟ ନୂଆ କମିଟି ଗଠନ କରାଯାଇଛି। କଂଗ୍ରେସ ନେତୃତ୍ୱରେ ପରିବର୍ତ୍ତନ ପାଇଁ ଦାବି କରିଥିବା ନେତାଙ୍କ ଦଳପତି ସାଜିଥିବା ଗୁଲାମ ନବୀ ଆଜାଦ୍‌ଙ୍କର କ୍ଷମତାକୁ ସୀମିତ କରି ଦିଆଯାଇଛି। ଗାନ୍ଧୀ ପରିବାର ସପକ୍ଷରେ ଥିବା ନେତାଙ୍କୁ ପୁରସ୍କାର ଭାବେ ପ୍ରମୋଶନ ମିଳିଛି। ରାହୁଲ ଗାନ୍ଧୀଙ୍କ ସମର୍ଥକ ଥିବା ନେତାଙ୍କୁ ଦଳୀୟ ସଂଗଠନ ଏବଂ କାର୍ଯ୍ୟ ସମିତିରେ ସ୍ଥାନ ମିଳିଛି। କଂଗ୍ରେସର ଏହି ସାଂଗଠନିକ ଅଦଳବଦଳ ୭ ବଡ଼ ରାଜନୈତିକ ସଙ୍କେତକୁ ସୂଚିତ କରୁଥିବା ନେଇ ଚର୍ଚ୍ଚା ହେଉଛି। ପ୍ରଥମରେ ଏହା ଦ୍ୱାରା ରାହୁଲଙ୍କ ଦଳକୁ କ୍ଷମତା ପ୍ରଦାନ କରାଯାଇଛି। ରାହୁଲ ଅଧ୍ୟକ୍ଷ ଭାବେ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଥିଲେ। ତାହା ଏବେ ସୋନିଆ ଗାନ୍ଧୀ କରି ଦେଇଛନ୍ତି। ରାହୁଲଙ୍କ ନିକଟତମ ଥିବା ନେତାଙ୍କୁ ରାଜ୍ୟର ଭାର ଦିଆଯାଇଛି। ସେହିପରି ଦଳରେ ବିଦ୍ରୋହ ସୃଷ୍ଟି କରୁଥିବା ନେତାଙ୍କ ପାଇଁ ସାଂଗଠନିକ ଅଦଳବଳଦ କଡ଼ା ଚେତାବନୀ ସୃଷ୍ଟି କରିଛି। ଦଳରେ ଯୁବ ଏବଂ ଅଭିଜ୍ଞ ନେତାଙ୍କୁ ସାମିଲ କରାଯାଇ ସଂଗଠନକୁ ମଜବୁତ କରାଯିବାର ପ୍ରୟାସ କରାଯାଇଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଏହା ମାଧ୍ୟମରେ ରାହୁଲଙ୍କ ଭବିଷ୍ୟତ ଲେଖା ଯିବାର ଉଦ୍ୟମ ଅଧ୍ୟକ୍ଷା କରିଛନ୍ତି। ଦେଶର ହିନ୍ଦୀ ଭାଷାଭାଷୀ ରାଜ୍ୟର ନେତାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ନେତୃତ୍ୱ ପରିବର୍ତ୍ତନ ପାଇଁ ଚିଠି ଲେଖିଥିବା ନେତାଙ୍କ ରାଜନୈତିକ କ୍ଷମତାକୁ ସୀମିତ କରାଯାଇ ଭବିଷ୍ୟତରେ ହେବାକୁଥିବା ଦଳୀୟ କନ୍ଦଳ ଆଶଙ୍କା ଉପରେ ଅଙ୍କୁଶ ଲଗାଯାଇଛି। ସେହିପରି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଉତ୍ତରପ୍ରଦେଶର ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏଠାରେ ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଚର୍ଚ୍ଚା ହେଉଛି।

Share