ବିନା ମାଟିରେ ଜୈବିକ ଚାଷ କରି ଦିଗ୍‌ଦର୍ଶକ ପାଲଟିଛନ୍ତି କୋରାପୁଟର ପୁଅ

କୋରାପୁଟ,୫ା୧୨(ସ୍ବ.ପ୍ର.): କରୋନା ମହାମାରୀ ଯୋଗୁ ସବୁକିଛି ବଦଳିଯାଇଛି। କିଛି ଲୋକ ନିଜନିଜ କାର୍ଯ୍ୟରେ ପରିବର୍ତ୍ତନ ଆଣିଥିବାବେଳେ ଆଉ କିଛି ଲୋକ ନୂତନ କୌଶଳ ଆପଣାଇ ନିଜକୁ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି ଏହି କରୋନା ଯୋଗୁ ବାଙ୍ଗାଲୁରୁରେ ଡାଟା ସାଇନ୍ସ ପାଠ ପଢୁଥିବା ଛାତ୍ର ଅଙ୍କିତ ମହାନ୍ତି ନିଜ ଘର କୋରାପୁଟକୁ ଆସି ଶିକ୍ଷାର କୌଶଳ ଅବଳମ୍ବନ କରି କୃଷିକ୍ଷେତ୍ରରେ ସମସ୍ତଙ୍କ ପାଇଁ ଏକ ଦିଗ୍‌ଦର୍ଶକ ପାଲିଟିଛନ୍ତି। ଅଙ୍କିତ ବିନା ମାଟିରେ କେବଳ ପାଣିରେ ଜୈବିକ ସାର ବ୍ୟବହାର କରି ଏହି ଚାଷ କରିଛନ୍ତି। ଏହି ପ୍ରଣାଳୀ ଆପଣାଇ ପ୍ଲାଷ୍ଟିକ ପାଇପ୍‌ ଦ୍ୱାରା ଭଳିକି ଭଳି ଶାଗ, କ୍ୟାପ୍‌ସିକମ, ଟମାଟୋ ଆଦି ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଛନ୍ତି। ଯାହା ସାଧାରଣ ଅମଳ ଅପେକ୍ଷା ପ୍ରାୟ ୧୦ ଗୁଣ ଅଧିକ ଅମଳ ହୋଇପାରୁଛି ବୋଲି କୁହନ୍ତି ଅଙ୍କିତ। ଏହି ପନିପରିବା ସ୍ବାସ୍ଥ୍ୟ ପାଇଁ ବେଶ୍‌ ହିତକର ହେବା ସହ କମ୍‌ ସ୍ଥାନରେ ତଟକା ସବୁଜ ପନିପରିବା ଉପାର୍ଜନ କରିବାର ମାଧ୍ୟମ ପାଲଟିଛି। ବର୍ତ୍ତମାନ ତାଙ୍କ ଘର ଛାତରେ ଏହି ଗବେଷଣା ଆରମ୍ଭ କରିଥିବାବେଳେ ଆଗକୁ ଅଧିକ ସ୍ଥାନରେ ଏହା କରିବା ଯୋଜନା ରଖିଛନ୍ତି ଅଙ୍କିତ।

ପାଠପଢ଼ିବା ସମୟରେ ବାଙ୍ଗାଲୁରୁ ଭଳି ସହରରେ ତଟକା ପନିପରିବା ନ ପାଇବା ଭଳି ସମସ୍ୟାକୁ ମନେପକାଇ ସେଗୁଡିକର ସମାଧାନ ଖୋଜିବାରେ ଲାଗିଲେ।ତେବେ ପନିପରିବା ଚାଷ ବିନା ମାଟିରେ ମଧ୍ୟ ହୋଇପାରୁଥିବା ଜାଣିବାକୁ ପାଇ ସେ ସମ୍ପର୍କରେ ଚର୍ଚ୍ଚା, ଆଲୋଚନା, କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାରେ ଲାଗିଲେ। କିଛି ମାସର ଅଧ୍ୟୟନ ଓ ପ୍ରୟୋଗ ଅଙ୍କିତଙ୍କୁ ସଫଳତା ଆଣି ଦେଇଛି। ବିନା ମାଟିରେ ଚାଷ କରିବା ଅଧିକ ଆକର୍ଷଣୀୟ ହୋଇପାରିବା ସହିତ କମ୍‌ ଜାଗାରେ ଅଧିକ ପନିପରିବା ଉତ୍ପାଦନ ମଧ୍ୟ ହେଉଛି। ଏହିପରି ଚାଷ କରିବା ପାଇଁ ପ୍ରଥମେ ଖର୍ଚ୍ଚ କିଛି ମାତ୍ରାରେ ଅଧିକ ହେଉଥିଲେ ବି ଦୁଇ ତିନି ବର୍ଷରେ ଏହି ଚାଷରୁ ଉପତ୍ାଦନ ଅଧିକ ମିଳିପାରିବ ବୋଲି ସେ ପ୍ରକାଶ କରିଛନ୍ତି। କରୋନା ସମୟରେ କଷ୍ଟ କ’ଣ ସେ ଅନୁଭବ କରି ସେହି ଅଭିଜ୍ଞତାକୁ ମନେ ରଖି ଭବିଷ୍ୟତ ଜୀବନରେ ଚାଷକୁ ଆପଣାଇବା ପାଇଁ ସ୍ଥିର କରିନେଇଛନ୍ତି। ଫଳରେ କୋରାପୁଟର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ତାଙ୍କର ଏହି ଛୋଟ ଗବେଷଣା କ୍ଷେତ୍ର କାମ ହେବ ବୋଲି ସେ ଆଶାପୋଷଣ କରିଛନ୍ତି। ଅଙ୍କିତଙ୍କ ଏହି ପ୍ରୟାସ ଯୁବପିଢିଙ୍କୁ ନୂତନ ଉତ୍ସାହ ପ୍ରଦାନ କରିବାରେ ସହାୟକ ହେବ ବୋଲି କୃଷି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।