ନୂଆଦିଲ୍ଲୀ,୨୦।୩:ସାଧାରଣ ଲୋକଙ୍କ ପକେଟ ଉପରେ ପୁଣି ଏକ ମହଙ୍ଗା ମାଡ଼ ହୋଇଛି। ଯଦି ଆପଣ ଅନଲାଇନ୍ରେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏଲ୍ପିଜି ସଙ୍କଟ ମଧ୍ୟରେ ଜଣାଶୁଣା ଫୁଡ ଡେଲିଭରି ପ୍ଲାଟଫର୍ମ Zomato ନିଜର ’ପ୍ଲାଟଫର୍ମ ଫି’ (Platform Fee) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ପରେ ଏବେ ପ୍ରତି ଅର୍ଡର ପାଇଁ ଗ୍ରାହକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ।
ଜୋମାଟୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀ ନିଜର ପ୍ଲାଟଫର୍ମ ଫି’କୁ ୨.୪୦ ଟଙ୍କା ବୃଦ୍ଧି କରିଛି। ପୂର୍ବରୁ GST ଲାଗିବା ପୂର୍ବରୁ ଏହି ଚାର୍ଜ ୧୨.୫୦ ଟଙ୍କା ଥିଲା, ଯାହା ଏବେ ବଢ଼ି ୧୪.୯୦ ଟଙ୍କାରେ ପହଞ୍ଚିଛି। ଏହି ନୂଆ ଦର ପ୍ରତି ଅର୍ଡର ଉପରେ ତୁରନ୍ତ ଲାଗୁ ହେବ। ଆପଣ ଦିନକୁ ଥରେ ଅର୍ଡର କରନ୍ତୁ କିମ୍ବା ୧୦ ଥର, ପ୍ରତିଥର ଆପଣଙ୍କୁ ଏହି ବର୍ଦ୍ଧିତ ଶୁଳ୍କ ଦେବାକୁ ପଡ଼ିବ।
ଜୋମାଟୋର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ Swiggy ମଧ୍ୟ ସମାନ ପଥ ଅନୁସରଣ କରୁଛି। ଟିକସ ମିଶାଇ ସ୍ବିଗି ବର୍ତ୍ତମାନ ପ୍ରତି ଅର୍ଡର ପାଇଁ ୧୪.୯୯ ଟଙ୍କା ପ୍ଲାଟଫର୍ମ ଫି’ ଆଦାୟ କରୁଛି। ଦୁଇ କମ୍ପାନୀ ମଧ୍ୟରେ ପ୍ରାଇସିଂ ଟ୍ରେଣ୍ଡ ପ୍ରାୟ ସମାନ ରହୁଛି। ତେବେ ଏହା ପୂର୍ବରୁ ସେପ୍ଟେମ୍ବର ୨୦୨୫ରେ ମଧ୍ୟ ଏହି ଚାର୍ଜ ବଢ଼ାଯାଇଥିଲା।
ଯେଉଁ ସମୟରେ ଜୋମାଟୋ ଏବଂ ସ୍ବିଗି ଚାର୍ଜ ବଢ଼ାଉଛନ୍ତି, ସେହି ସମୟରେ ଅର୍ବାନ ମୋବିଲିଟି ଷ୍ଟାର୍ଟଅପ୍ Rapido ଫୁଡ ଡେଲିଭରି ବ୍ୟବସାୟରେ ପ୍ରବେଶ କରିଛି। ବେଙ୍ଗାଲୁରୁରେ ’ଓନଲି’ (Only) ନାମରେ ଏହି ସେବା ଆରମ୍ଭ ହୋଇଛି। ରାପିଡୋ ସ୍ପଷ୍ଟ କରିଛି ଯେ ସେମାନେ କେବଳ ଡେଲିଭରି ଫି’ ନେବେ ଏବଂ ଗ୍ରାହକ କିମ୍ବା ରେଷ୍ଟୁରାଣ୍ଟଠାରୁ କୌଣସି ଅତିରିକ୍ତ ‘ପ୍ଲାଟଫର୍ମ ଫି’ ଚାର୍ଜ କରିବେ ନାହିଁ। ଏହା ଦ୍ୱାରା ଅନ୍ୟ କମ୍ପାନୀଗୁଡ଼ିକ ଉପରେ ଚାପ ପଡ଼ିପାରେ।
ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ଇନ୍ଧନ ଖର୍ଚ୍ଚ ବଢ଼ୁଛି, ଯାହା ଡେଲିଭରି ଅପରେଶନକୁ ପ୍ରଭାବିତ କରୁଛି। ତେବେ ବାରମ୍ବାର ଏହି ଚାର୍ଜ ବୃଦ୍ଧି ଯୋଗୁ ସାଧାରଣ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

