Categories: ଜାତୀୟ

ଶୁଭେନ୍ଦୁ ଅଧିକାରୀ ବିଧାନସଭାରୁ ନିଲମ୍ବନ ପରେ ପ୍ରତ୍ୟାହୃତ ହେଲା ନିର୍ଦ୍ଦେଶ

କୋଲକାତା,୧୩।୨: ଆକ୍ଷେପମୂଳକ ମନ୍ତବ୍ୟ ପାଇଁ ନନ୍ଦିଗ୍ରାମର ଭାଜପା ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ସୋମବାର ନିଲମ୍ବନ କରିଥିଲେ। ତେବେ କିଛି ସମୟ ପରେ ସେ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେଇଛନ୍ତି। ଟିଏମ୍‌ସି ସଦସ୍ୟ ତାପସ ରାୟ ଶୁଭେନ୍ଦୁଙ୍କ ବିରୋଧରେ ପ୍ରସ୍ତାବ ପ୍ରତ୍ୟାହାର କରିନେବାରୁ ତାଙ୍କ ଉପରୁ ନିଲମ୍ବନ ଆଦେଶକୁ ବାଚସ୍ପତି ଫେରାଇ ନେଇଥିଲେ। ସୂଚନାଯୋଗ୍ୟ, ଗତ ବୁଧବାର ରାଜ୍ୟ ବିଧାନସଭାରେ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ପ୍ରଥମ ଥର ପାଇଁ ଉଦ୍‌ବୋଧନ ଦେଉଥିବା ବେଳେ ଶାସକ ଟିଏମ୍‌ସିର ଦୁର୍ନୀତି ପ୍ରସଙ୍ଗକୁ ନେଇ ଭାଜପା ବିଧାୟକମାନେ ହଟ୍ଟଗୋଳ କରିଥିଲେ। ଶୁଭେନ୍ଦୁଙ୍କ ନେତୃତ୍ୱରେ ଭାଜପା ବିଧାୟକମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ କକ୍ଷତ୍ୟାଗ କରିଥିଲେ। ଭାଜପା ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ଟିଏମ୍‌ସି ମୁଖ୍ୟ ହୁଇପ୍‌ ନିର୍ମଳ ଘୋଷ ଅଭିଯୋଗ କରିଥିଲେ।

Share