ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୨୬।୪: ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗରେ ୫ ସଦସ୍ୟ ପଦ ଖାଲି ପଡ଼ିବା ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ ଶୁଣାଣି କରି ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ମାମଲାର ବିବରଣୀରୁ ପ୍ରକାଶ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ଆଧାରରେ ୨୦୧୬ ମାର୍ଚ୍ଚ ୧୫ରେ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଗଠନ ହୋଇଥିଲା। ଆଇନର ୧୬(୨) ଉପଧାରା ଅନୁସାରେ ଆୟୋଗରେ ଜଣେ ଅଧ୍ୟକ୍ଷ ଓ ୫ ସଦସ୍ୟଙ୍କୁ ନିଯୁକ୍ତି ଦିଆଯିବା କଥା। କୌଣସି ନିଷ୍ପତ୍ତି ନେବା ନିମନ୍ତେ ଅଧ୍ୟକ୍ଷଙ୍କୁ ମିଶାଇ ୩ ଜଣଙ୍କର ଆବଶ୍ୟକତା ରହିଛି। ହେଲେ ଆୟୋଗ ଗଠନ ହେବା ଦିନଠାରୁ ୩ ସଦସ୍ୟ ପଦ ଖାଲି ଥିବାବେଳେ ୨ ଜଣ ସଦସ୍ୟ କାର୍ଯ୍ୟରତ ଥିଲେ। ୨୦୨୦ ସେପ୍ଟେମ୍ବର ୧୩ରୁ ଗୋଟିଏ ସଦସ୍ୟ ପଦ ଖାଲି ରହିଥିବାବେଳେ ୨୦୨୨ ସେପ୍ଟେମ୍ବର ୧୨ରୁ ଆଉ ଏକ ସଦସ୍ୟ ପଦ ଖାଲିପଡ଼ିଛି। ପୁଣି ଚଳିତ ଏପ୍ରିଲ ୧୦ରେ ଆୟୋଗର ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ଅଧ୍ୟକ୍ଷଙ୍କ ସମେତ ୫ ସଦସ୍ୟ ପଦ ଖାଲିପଡ଼ିଛି। ଅଦ୍ୟାବଧି ନୂତନ ଅଧ୍ୟକ୍ଷ କିମ୍ବା କୌଣସି ସଦସ୍ୟଙ୍କୁ ନିଯୁକ୍ତି ମିଳିନାହିଁି। ପଦବୀଗୁଡ଼ିକ ପୂରଣ ନ ହେବା କାରଣରୁ ଆୟୋଗଙ୍କ କାର୍ଯ୍ୟାଳୟ ଠିକ୍‌ ଭାବେ କାର୍ଯ୍ୟ କରୁନାହଁି ବୋଲି ଆବେଦନକାରୀ ଆଇନଜୀବୀ ପ୍ରବୀର ଦାସ ତାଙ୍କ ପିଟିଶନ୍‌ରେ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଦାଏର ଏହି ପିଟିଶନରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଏବଂ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ସଦସ୍ୟ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।