ତଦନ୍ତ ରିପୋର୍ଟ ୮ ସପ୍ତାହରେ ଦେବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୨୫ା୧: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ ମାମଲାରେ ଗତ ୧୪ ତାରିଖରେ ଜାତୀୟ ମାନବ ଅଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ଟିମ୍‌ ତଦନ୍ତ ଏବଂ ରାଜଶ୍ରୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଲଢ଼େଇ ପରିବାରର ଓଡ଼ିଶାର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଏନ୍‌ଏଚ୍‌ଆର୍‌ସି କେସ ନମ୍ବର ୭୬୯/ଇନ୍‌/୨୦୨୩ରେ ଦାଏର କରିଥିଲେ। ତେବେ ମଙ୍ଗଳବାର ଉକ୍ତ ମାମଲାର ବିଚାର କରି ଜାତୀୟ ମାନବ ଅଧିକାର କମିଶନ କମିଶନରେଟ ପୋଲିସ କଟକଙ୍କୁ ୮ ସପ୍ତାହ ଭିତରେ ଘଟଣାର ତଦନ୍ତ କରି ଅଭିଯୋଗକାରୀ ଏବଂ କମିଶନଙ୍କ ନିକଟରେ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଦାଶ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୧୩ ତାରିଖ ପୁରୀ ରାମଚଣ୍ଡୀ ଥାନା ଅଧୀନ ଭୁଆଁ ଗ୍ରାମର ମହିଳା କ୍ରିକେଟର ରାଜଶ୍ରୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ରାଜଶ୍ରୀ କଟକର ମହାବୀର ପ୍ୟାଲେସରେ ଏକ ହଷ୍ଟେଲରେ ରହୁଥିଲେ। ରାଜଶ୍ରୀ ଜଣେ ଭଲ କ୍ରିକେଟର ଭାବେ ସୁନାମ ଅର୍ଜନ କରିଥିବା ବେଳେ ଓସିଏ ଚୟନ କମିଟିରୁ ତାଙ୍କୁ ବାଦ୍‌ ଦିଆଯାଇଥିଲା। ପରେ ଗତ ୧୧ ତାରିଖରେ ରାଜଶ୍ରୀ କଟକରୁ ନିଖୋଜ ହୋଇଥିଲେ। ଏହି ନିଖୋଜ ମାମଲାକୁ ନେଇ ଓସିଏ ପକ୍ଷରୁ କଟକ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା। ସେହିପରି ରାଜଶ୍ରୀଙ୍କ ପରିବାର ପକ୍ଷରୁ ପୁରୀ ଜିଲା ରାମଚଣ୍ଡୀ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ତେବେ ୧୩ତାରିଖ ଦିନ କଟକର ଏକ ଜଙ୍ଗଲରୁ ରାଜଶ୍ରୀଙ୍କ ସ୍କୁଟି ଏବଂ କିଛି ଦୂରରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ରାଜଶ୍ରୀଙ୍କ ଶରୀରର ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ। ତେଣୁ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ମାମଲାର ବିଚାର କରିବା ପାଇଁ ସଭାପତି ଦାଶ ଏନ୍‌ଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହୋଇଥିଲେ।