ଖାଦ୍ୟ ସୁରକ୍ଷା ଯୋଜନାରୁ ମୃତକଙ୍କ ନାଁ କାଟିବାକୁ ନିର୍ଦ୍ଦେଶ

କେନ୍ଦୁଝର,୨୬।୭(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନିକାନ୍ତ ସାହୁ ମଙ୍ଗଳବାର କେନ୍ଦୁଝର ଜିଲା ଦିନିକିଆ ଗସ୍ତ କରିଛନ୍ତି। ଅତିରିକ୍ତ ଜିଲାପାଳ ଯଦୁମଣି ମହଲା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଓ ଜିଲା ଯୋଗାଣ ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଆୟୋଗ ଅଧ୍ୟକ୍ଷଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ଦରବାର ହଲ୍‌ଠାରେ ଏକ ସମୀକ୍ଷା ବୈଠକରେ ସେ ଯୋଗଦେଇ ଯୋଗାଣ, ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଓ ସମାଜ ମଙ୍ଗଳ ବିଭାଗ ଅଧିକାରୀଙ୍କ ସହ ବିଭିନ୍ନ ଯୋଜନାର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ। ବୈଠକରେ ଅତିରିକ୍ତ ଜିଲାପାଳ ମହଲା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଆଚାର୍ଯ୍ୟ, ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ କିଶୋର ଚନ୍ଦ୍ର ପୃଷ୍ଟି, ଜିଲାର ସମସ୍ତ ଉପଜିଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଅଧିକାରୀମାନେ ସେମାନଙ୍କ ବିଭାଗର ବିବରଣୀ ଉପସ୍ଥାପନ କରିଥିଲେ। ଆୟୋଗ ଅଧ୍ୟକ୍ଷ ସାହୁ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ଜିଲାର ହିତାଧିକାରୀଙ୍କୁ ଖାଦ୍ୟ ଶସ୍ୟ ବଣ୍ଟନର ପ୍ରକ୍ରିୟା ସମ୍ପର୍କରେ ପଚାରି ବୁଝିଥିଲେ। ମୃତ ବ୍ୟକ୍ତିଙ୍କ ନାମ କାଟି ବଦଳରେ ଯୋଗ୍ୟ ଆବେଦନକାରୀଙ୍କ ନାମ ତୁରନ୍ତ ସଂଯୋଗ ପାଇଁ ସେ ଯୋଗାଣ ବିଭାଗର କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅପରାହ୍ନରେ ଧାଙ୍ଗରପଡାସ୍ଥିତ ଅଙ୍ଗନଓ୍ବାଡି କେନ୍ଦ୍ର, କ୍ରେଚ ଓ ଏକ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଏହାର କାର୍ଯ୍ୟକାରିତା ସମ୍ବନ୍ଧରେ ପଚାରି ବୁଝିଥିଲେ। ପରେ ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ବାଂଶପାଳ ଗସ୍ତ କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଏନ୍‌ଆର୍‌ସି ସେଣ୍ଟର ପରିଦର୍ଶନ କରିଥିଲେ।