ମୃତାହତଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

କଟକ ଅଫିସ,୧୪ା୩:ହାତୀ ଆକ୍ରମଣଜନିତ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତି ପୂରଣ ଦେବା ପାଇଁ ହାଇକୋର୍ଟ ଜଙ୍ଗଲ ବିଭାଗକୁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୁଖ୍ୟ ବନ ସଂରକ୍ଷକ ମନୋଜ ନାୟାର ହାତୀ ମଣିଷକୁ ମାରିଲେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ରାଶି ବାବଦରେ ୪୦ ଲକ୍ଷ ଟଙ୍କା ଦିଆଯିବ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନାରେ ହାଇକୋର୍ଟଙ୍କୁ ଅବଗତ କରିଥିଲେ। ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଏବଂ ବିଚାରପତି ଗୌରୀ ଶଙ୍କର ଶତପଥୀଙ୍କ ମିଳିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେବା ସହ ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୨୦ ତାରିଖକୁ ଧାର୍ଯ୍ୟ କରିଛନ୍ତି।
ସୂଚନା ଅନୁସାରେ, ହାତୀ-ମଣିଷ ଲଢ଼େଇକୁ ନେଇ ସୋମବାର ଶୁଣାଣିରେ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ, ହାତୀ ଆକ୍ରମଣରେ କେତେ ମୃତାହତଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ଗତ ଶୁଣାଣି ଜାନୁୟାରୀ ୧୮ରୁ ଚଳିତ ଶୁଣାଣି ମାର୍ଚ୍ଚ ୧୩ ତାରିଖ ମଧ୍ୟରେ ରାଜ୍ୟରେ ଆହୁରି ୧୪ ହାତୀଙ୍କ ମୃତ୍ୟୁ ହୋଇଛି। କାହାକୁ କ୍ଷତିପୂରଣ ଦିଆଯାଇ ନାହିଁ। ଜିଲାସ୍ତରୀୟ କମିଟି ଏନେଇ ଚୂଡ଼ାନ୍ତ କରିବା ପରେ କ୍ଷତିପୂରଣ ରାଶି ଦେବାକୁ ଯାଉଛୁ ବୋଲି ବନବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ତୁରାମ ପୂର୍ତ୍ତି ମୃତ୍ୟୁ ମାମଲାରେ ଏତଲା ହୋଇଛି ବୋଲି ଜେଟିଏଫ୍‌ ଅତିରିକ୍ତ ଏସ୍‌ପି କହିଥିଲେ। ୩୦୨ରେ ଏତଲା ଦିଆଯାଇଥିବାବେଳେ ବିଭାଗୀୟ ତଦନ୍ତରୁ ତାହା ଆତ୍ମହତ୍ୟା ହୋଇଥିବାରୁ ୩୦୬ ଦଫାରେ ତଦନ୍ତ କରାଯାଉଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ତେବେ ଚାର୍ଜଶିଟ୍‌ କାହିଁକି ଦାଖଲ ହୋଇନାହିଁ ବୋଲି କୋର୍ଟ ପ୍ରଶ୍ନ କରିବା ସହ ଆଗାମୀ ଶୁଣାଣି ପୂର୍ବରୁ ତାହା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆହୁରି ମଧ୍ୟ ଗତ ରବିବାର ଏକ ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛି। ତେଣୁ ରାଜ୍ୟର ୫ଟି ଯାକ ବିଦ୍ୟୁତ ବଣ୍ଟନ କମ୍ପାନୀକୁ ନୋଟିସ ଜାରି କରାଯାଇ ହାତୀମୃତ୍ୟୁ ରୋକିବା ଦିଗରେ କ’ଣ ସବୁ ପଦକ୍ଷେପ ନିଆଯାଇଛି ତାହା ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।