ପ୍ରଶ୍ନପତ୍ର ଅଦଳବଦଳର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର,୫।୮(ବ୍ୟୁରୋ): ମାଟ୍ରିକ୍‌ ପରୀକ୍ଷାରେ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର ମିଳିବା ଘଟଣାର ତଦନ୍ତ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ମାଟ୍ରିକ ପରୀକ୍ଷାରେ ରେଗୁଲାର ଛାତ୍ରୀଛାତ୍ରଙ୍କୁ ୨୦୧୪ର ଏକ୍ସ ରେଗୁଲାର ପ୍ରଶ୍ନପତ୍ର ଏବଂ ଏକ୍ସ ରେଗୁଲାର ପିଲାଙ୍କୁ ରେଗୁଲାର ପ୍ରଶ୍ନପତ୍ର ମିଳିଥିଲା। କଟକସ୍ଥିତ ସେକେଣ୍ଡାରି ବୋର୍ଡ ହାଇସ୍କୁଲରେ ହେଉଥିବା ଅଫ୍‌ଲାଇନ୍‌ ମାଟ୍ରିକ୍‌ ପରୀକ୍ଷାରେ ଏଭଳି ବିଭ୍ରାଟ ଦେଖିବାକୁ ମିଳିଥିଲା। ଏଭଳି ତ୍ରୁଟି ଜଣାପଡ଼ିବା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପିଲାଙ୍କୁ ଅତିରିକ୍ତ ୧ଘଣ୍ଟା ସମୟ ଦିଆଯାଇଥିଲା। କିନ୍ତୁ ସେତେବେଳକୁ କେତେଜଣ ପିଲା ପ୍ରଥମ ପେପର ପରୀକ୍ଷା ଦେଇସାରିଥିଲେ। ଏଥିପାଇଁ ପିଲାଙ୍କୁ ହଲ୍‌ରେ ୩ଘଣ୍ଟାରୁ ଅଧିକ ସମୟ ବସିବାକୁ ପଡ଼ିଥିଲା। ଏଭଳି ତ୍ରୁଟିର ଶିକାର ହୋଇଥିବା ପାଖାପାଖି ୨୦ ଜଣ ପରୀକ୍ଷାର୍ଥୀ ସେମାନଙ୍କୁ ନ୍ୟାୟ ଦେବାକୁ ବୋର୍ଡ ସମ୍ପାଦକଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି। ଘଟଣା ସମ୍ପର୍କରେ ମନ୍ତ୍ରୀ ଜାଣିବା ପରେ ଏହାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନଙ୍କ ପାଇଁ ଏଭଳି ଭୁଲ ହୋଇଛି ଆବଶ୍ୟକ ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି।