ନିର୍ଦ୍ଦିଷ୍ଟ ସମୟରେ ସୂଚନା ଦେବାକୁ ନିର୍ଦ୍ଦେଶ

କଟକ ଅଫିସ,୨୬।୩: ସୂଚନା ଅଧିକାର ଆଇନ (ଆର୍‌ଟିଆଇ)ରେ ମିଳୁନି ଜେଲ ସୂଚନା ପ୍ରସଙ୍ଗରେ ରାଜ୍ୟ ଗୃହ ବିଭାଗର ଜନସୂଚନା ଅଧିକାରୀଙ୍କ ଚିଠି ଆଧାରରେ ଜେଲ ନିର୍ଦ୍ଦେଶାଳୟର ପ୍ରଶାସନିକ ଅଧିକାରୀ ତଥା ପିଆଇଓ (ଜନ ସୂଚନା ଅଧିକାରୀ) ତତ୍ପରତା ଦେଖାଇଛନ୍ତି। ଆବେଦନକାରୀ ଡ. ସୁନୀଲ କୁମାର ରଥଙ୍କ ଆବେଦନକୁ ଭିତ୍ତିକରି ସେ ରାଜ୍ୟର ସମସ୍ତ ଜେଲ ଅଧୀକ୍ଷକଙ୍କୁ ଶୁକ୍ରବାର ପତ୍ର ଲେଖିଛନ୍ତି। ଆବେଦନକାରୀଙ୍କ ଆବେଦନ ଗତ ୮ ତାରିଖରେ ଗ୍ରହଣ ହୋଇଥିବାବେଳେ ତୁରନ୍ତ ସେ ମାଗିଥିବା ସୂଚନାଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରଦାନ କରିବା ନିମନ୍ତେ ଜେଲ ଅଧୀକ୍ଷକମାନଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି।
ଭୁବନେଶ୍ୱର ଝାରପଡ଼ାସ୍ଥିତ ସ୍ବତନ୍ତ୍ର ଜେଲ ସମେତ ରାଜ୍ୟର ବିଭିନ୍ନ ଜେଲ୍‌ରେ ଚାଲିଥିବା ବିଭିନ୍ନ ଅନିୟମିତତା ସମ୍ପର୍କିତ ତଥ୍ୟ ଡ. ରଥ ପାଇବା ପାଇଁ ଆବେଦନ କରିଥିଲେ। ହେଲେ ତାଙ୍କୁ ଆର୍‌ଟିଆଇରେ ସୂଚନା ଦିଆଯାଉ ନ ଥିଲା। ଏ ନେଇ ସେ ଲୋକାୟୁକ୍ତ ଓ ରାଜ୍ୟ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଝାରପଡ଼ା ଜେଲରେ ଅନେକ ଅନିୟମିତତା ତଥା ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ସେ ଜେଲ ଡିଜିଙ୍କୁ ଅବଗତ କରାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ। ଏମିତି କି ଝାରପଡ଼ା ଜେଲ ଭିତରେ ଗୁଟ୍‌ଖା ଦୋକାନ ଖୋଲାଯାଇ ଅନ୍ତେବାସୀଙ୍କୁ ବିକ୍ରି କରାଯାଉଥିବା ସେ ପିଟିଶନ୍‌ରେ ଉଲ୍ଲେଖ କରିଛନ୍ତି। ଜେଲ ଡିଜିଙ୍କୁ ସୂଚନା ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେବାକୁ ଲୋକାୟୁକ୍ତଙ୍କୁ ସେ ନିବେଦନ କରିଥିଲେ। ସେହିପରି ଝାରପଡ଼ା ଜେଲ୍‌ର ଜେଲର୍‌ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ରାଜ୍ୟ ଭିଜିଲାନ୍ସରେ ମଧ୍ୟ ଆବେଦନକାରୀ ଅଭିଯୋଗ କରିଛନ୍ତି। ଜେଲର କାହିଁକି ସୂଚନା ଅଧିକାର ଆଇନରେ ସୂଚନା ପ୍ରଦାନ କରୁନାହାନ୍ତି ତାହାର ତଦନ୍ତ କରିବାକୁ ସେ ଅଭିଯୋଗରେ ଦର୍ଶାଇଛନ୍ତି।