ବାତ୍ୟା ନିରୋଧୀ ବନୀକରଣ ସୃଷ୍ଟି କରିବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୧୩।୩: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର ପୁରୀ ଗସ୍ତରେ ଆସି ଜିଲାରେ ଚାଲିଥିବା ବନୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଉପକୂଳବର୍ତ୍ତୀ ଜିଲା ହୋଇଥିବାରୁ ପୁରୀରେ ବାତ୍ୟା ନିରୋଧୀ ବନୀକରଣ ସୃଷ୍ଟି କରିବାକୁ ଚାରାରୋପଣ ନିମନ୍ତେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ। ଅସ୍ତରଙ୍ଗ ଓ କାକଟପୁର ସମେତ ବନଖଣ୍ଡ-ଅଭୟାରଣ୍ୟ, ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ରୋଡ୍‌, ନୂଆ ମୁହାଣ ଅଞ୍ଚଳ, ପୁରୀ-ସାତପଡ଼ା, ଜାତୀୟ ରାଜପଥ ଓ ଜିଲାର ଅନ୍ୟାନ୍ୟ ଅଞ୍ଚଳରେ ହେଉଥିବା ଚାରାରୋପଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବର, ଅଶ୍ୱସ୍ତ, ଆକାଶିଆ, କାଜୁ ଓ ଝାମୁ ଗଛ ଲଗାଇବା, ମୃତ୍ତିକା କ୍ଷୟ ରୋକିବା, ବାଲିବନ୍ଧ ସୁରକ୍ଷା ଓ ଅସ୍ତରଙ୍ଗର ତଣ୍ଡାଘର ଅଞ୍ଚଳକୁ ସମୁଦ୍ରପାଣି ପ୍ରବେଶ ରୋକିବା ନିମନ୍ତେ କିଆବାଡ଼ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଗତବର୍ଷ ଜିଲାରେ ୧,୭୮,୩୭୫ ଚାରାରୋପଣ ସହ ୧,୦୦୦,୪୬ ହଜାର ଚାରା ବଣ୍ଟନ କରାଯାଇଥିଲା। ଆସନ୍ତା ବର୍ଷ ୭୭୧.୧ ହେକ୍ଟର ଅଞ୍ଚଳରେ ୬,୮୫,୨୫୦ ଚାରାରୋପଣ ପାଇଁ ଲକ୍ଷ୍ୟ ରହିଥିବା ଜିଲା ବନଖଣ୍ଡ ଅଧିକାରୀ ସୂଚନା ଦେଇଥିଲେ। ଜିଲାପାଳ ସମର୍ଥ ବର୍ମା, ଡିଏଫ୍‌ଓ ପି.ରାମସ୍ବାମୀ, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲାପାଳ ଭବତାରଣ ସାହୁ, ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସ, ୱାଟ୍‌କୋ ଜେନେରାଲ ମ୍ୟାନେଜର ଶରତ ମିଶ୍ର ଉପସ୍ଥିତ ଥିଲେ।