ଧାର୍ଯ୍ୟ ସମୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

କଟକ ଅଫିସ,୪ା୩: କଟକ ସହରରେ ଚାଲିଥିବା ଏକାଧିକ ନିର୍ମାଣାଧୀନ କାର୍ଯ୍ୟକୁ ଅଧିକ ତ୍ୱରାନ୍ବିତ କରିବା ପାଇଁ ପ୍ରଶାସନ ଗୁରୁତ୍ୱ ଦେଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡ଼ିଏ) ଅଧ୍ୟକ୍ଷ ଅନିଲ କୁମାର ସାମଲ ସହରରେ ବିଭିନ୍ନ ନିର୍ମାଣାଧୀନ କାର୍ଯ୍ୟର ତଦାରଖ କରିବା ସହିତ ଧାର୍ଯ୍ୟ ସମୟରେ କାର୍ଯ୍ୟ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ରାଣୀହାଟ ନିକଟସ୍ଥ ତାଳଦଣ୍ଡା କେନାଲର ଉନ୍ନତୀକରଣ କାର୍ଯ୍ୟ ଅନୁଧ୍ୟାନ କରିବା ସହ ସେଠାରେ ନିର୍ମାଣାଧୀନ ‘କ୍ଲକ୍‌ ଟାୱାର’ କାର୍ଯ୍ୟର ତଦାରଖ କରିଥିଲେ। ରାଣୀହାଟ ପୋଲ ନିକଟରୁ ଗୋଶାଳା ପର୍ଯ୍ୟନ୍ତ ଚାଲିଥିବା ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତ୍ୱରିତ ବେଗରେ ଶେଷ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ ଛତ୍ରବଜାରଠାରେ ନିର୍ମାଣାଧୀନ ଅର୍ବାନ ହାଟ ପରିଦର୍ଶନ କରିଥିଲେ। ମାର୍ଚ୍ଚ ଶେଷ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ସେ ବିଭାଗୀୟ ଯନ୍ତ୍ରୀଙ୍କୁ ଆଦେଶ ଦେଇଥିଲେ। ଏତଦ୍‌ବ୍ୟତୀତ ସେଠାରେ ଏକ ମାଛ ମାର୍କେଟର ସ୍ଥାପନ ପାଇଁ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ ଅନୁଧ୍ୟାନ କରିବା ସହ କାର୍ଯ୍ୟ ଆରମ୍ଭ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ସହ ପରାମର୍ଶ କରିଥିଲେ। ସେହିପରି ମାତୃଭବନ ନିକଟରେ ଚାଲିଥିବା ଜଳ ନିଷ୍କାସନ ପ୍ରକଳ୍ପ କାର୍ଯ୍ୟ ତଦାରଖ କରିବା ସହ ବର୍ଷାଦିନ ପୂର୍ବରୁ ପମ୍ପିଂ ଷ୍ଟେଶନ କାର୍ଯ୍ୟକ୍ଷମ କରିବାକୁ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ଆଦେଶ ଦେଇଥିଲେ। ପରେ ସେ ନୂଆବଜାର ଓଭରବ୍ରିଜକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ତଦାରଖ କରିଥିଲେ। ପରେ ସେ ଯୋବ୍ରାରେ ପହଞ୍ଚି ନିର୍ମାଣାଧୀନ ଇକୋ ଟୁରିଜିମ୍‌ ପ୍ରକଳ୍ପ, ବୋଟିଂ, ଫୁଡ୍‌ପାର୍କ ସହ କେନାଲଫ୍ରଣ୍ଟ ଡେଭଲପମେଣ୍ଟ କାର୍ଯ୍ୟର ତଦାରଖ କରିଥିଲେ। ଏହି ତଦାରଖ ବେଳେ ଆର୍‌ଆଣ୍ଡ୍‌ବି ଯନ୍ତ୍ରୀ, ସିଡିଏ ଅଧିକାରୀ, ୱାଟ୍‌କୋ ଯନ୍ତ୍ରୀ ଓ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।