ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ

କଟକ ଅଫିସ,୯ା୬: ପୁରୀ ଜିଲା ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା କରିବାକୁ ହାଇକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ମଧୁସୂଦନ ପୂଜାପଣ୍ଡାଙ୍କ ଆବେଦନର ଶୁଣାଣି କରି ଅବକାଶକାଳୀନ ବିଚାରପତି ଏସ୍‌. କେ. ସାହୁ ଓ ବିଚାରପତି ଏମ୍‌. ଏସ୍‌. ରମଣଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ମନ୍ଦିରରେ ଭିଡ଼ ନିୟନ୍ତ୍ରଣ ସହ ବୟସ୍କ, ଭିନ୍ନକ୍ଷମ ଓ ଛୋଟ ପିଲାଙ୍କ ପାଇଁ ସ୍ବତନ୍ତ୍ର ପ୍ରବେଶ ପଥ ବ୍ୟବସ୍ଥା ତଥା ପାର୍କିଂ ସ୍ଥାନଠାରୁ ମନ୍ଦିର ପର୍ଯ୍ୟନ୍ତ ବ୍ୟାଟେରି ଗାଡ଼ିର ସୁବିଧା ଯୋଗାଇ ଦେବାକୁ ହାଇକୋର୍ଟ କହିଛନ୍ତି। ସେହିପରି ମନ୍ଦିର ଭିତରେ ଭିଡ ହ୍ରାସ ପାଇଁ ପ୍ରସାଦ ବିକ୍ରି ଓ ସେବନକୁ ନିୟନ୍ତ୍ରିତ କରିବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଭକ୍ତମାନେ ଅଯଥା ହଇରାଣରୁ ରକ୍ଷା ପାଇବା ପାଇଁ ଠାକୁରଙ୍କ ବିଭିନ୍ନ ରୀତିନୀତି ଆଧାରରେ ଦର୍ଶନ ସମୟ ଏବଂ ମନ୍ଦିର ବନ୍ଦ ହେବା ସମୟ ସଂକ୍ରାନ୍ତରେ ଖବରକାଗଜ ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ ଦୈନନ୍ଦିନ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି। ପୁରୀ ରଥଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ସେବାୟତମାନେ ଅର୍ଗଳି ନିକଟରୁ ଭକ୍ତମାନଙ୍କୁ ଦର୍ଶନ କରାଇବେ। କୌଣସି ସେବାୟତ ଯେପରି ଭକ୍ତମାନଙ୍କୁ ଅର୍ଗଳି ଆଗକୁ ନେଇ ଦର୍ଶନ ନ କରାନ୍ତି ତାହା ସୁନିଶ୍ଚିତ କରିବାକୁ ମନ୍ଦିର ଓ ଜିଲା ପ୍ରଶାସନକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମନ୍ଦିର ଭିତର ଓ ବାହାରେ ପର୍ଯ୍ୟାପ୍ତ ସିସିଟିଭି ବ୍ୟବସ୍ଥା କରିବା ସହ ପ୍ରବେଶ ପଥରେ ଥିବା ପଙ୍ଖାଗୁଡିକୁ କାର୍ଯ୍ୟକ୍ଷମ କରିବା ଓ ମୋବାଇଲ ଟଏଲେଟ୍‌ ବ୍ୟବସ୍ଥା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇ ମାମଲାର ଅନ୍ତ ଘଟାଇଛନ୍ତି।