ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କୁ ଶୁଣାଣି ପାଇଁ ନିର୍ଦ୍ଦେଶ

କଟକ ଅଫିସ,୧୭।୫: ବିନା ଡାକ୍ତରୀ ପ୍ରେସ୍‌କ୍ରିପ୍‌ସନ୍‌ରେ ଗର୍ଭ ନିରୋଧକ ବଟିକା ବିକ୍ରି ଉପରେ କଟକଣା ଲଗାଇବାକୁ ହାଇକୋର୍ଟରେ ଆଗତ ଜନସ୍ବାର୍ଥ ମାମଲା ଶୁଣାଣି ମଙ୍ଗଳବାର ହୋଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଆବେଦନକାରୀଙ୍କୁ ଡକାଇ ତାଙ୍କ ଅଭିଯୋଗ ଉପରେ ଶୁଣାଣି କରି ବେଆଇନ ବିକ୍ରି ରୋକିବା ଉପରେ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇ ମାମଲାର ଅନ୍ତ ଘଟାଇଛନ୍ତି। ଅନିୟନ୍ତ୍ରିତ ଗର୍ଭ ନିରୋଧକ ବଟିକା ସେବନ ଦ୍ୱାରା ମହିଳାଙ୍କଠାରେ କର୍କଟ ରୋଗ ହେବାର ଆଶଙ୍କା ଥିବା ଦାବି କରି ସାମାଜିକ କର୍ମୀ ବିନ୍ଦୁଜା ଉପାଧ୍ୟାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ମାମଲାର ବିବରଣୀରୁ ପ୍ରକାଶ, ଗର୍ଭଧାରଣ ଏଡ଼ାଇବାକୁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଛି। ହେଲେ ଏଥିପାଇଁ ବ୍ୟବହାର ହେଉଥିବା ଗର୍ଭ ନିରୋଧକ ବଟିକାରେ ନରେଥିଷ୍ଟେରନ୍‌ ନାମକ ପଦାର୍ଥ ରହୁଛି, ଯାହା ଅତ୍ୟନ୍ତ କ୍ଷତିକାରକ। ଏହି ପଦାର୍ଥ ଥିବା ଔଷଧ ଖାଇଲେ ମହିଳାଙ୍କ ଶରୀରରେ କ୍ଷରିତ ହେଉଥିବା ହରମୋନ୍‌କୁ ଅସନ୍ତୁଳିତ କରିଥାଏ। ଏଥିସହ ଶରୀର ଦୁର୍ବଳ ହେବା ସାଙ୍ଗକୁ ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥାଏ। ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଗର୍ଭ ନିରୋଧକ ଔଷଧ ସେବନ କରିବା ଦ୍ୱାରା ନାନା ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏପରି କି ଏସବୁର ବ୍ୟବହାର ଦ୍ୱାରା ମାରାତ୍ମକ କ୍ୟାନ୍‌ସର ଭଳି ରୋଗ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହୁଛି। ତେଣୁ ଏସବୁ ଔଷଧ ବ୍ୟବହାର ଉପରେ କଟକଣା ଲଗାଇବାକୁ ନିୟମ କାହିଁକି କରାଯାଇନାହିଁ, ସେଥିପାଇଁ କାରଣ ଦର୍ଶାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଥିଲା। ରାଜ୍ୟସ୍ତରରେ ଅଧିକାରୀମାନେ ଏପରି ଔଷଧ ବିକ୍ରି କଟକଣା ପାଳନ କରାଯିବା ଓ ଚଢ଼ାଉ ନେଇ ନିୟମାବଳୀ ପ୍ରସ୍ତୁତ କରିବାକୁ ପିଟିଶନ୍‌ରେ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଫ୍ରାଜ ସୁହାଇଲ୍‌ ମାମଲା ପରିଚାଳନା କରୁଥିଲେ।