ସୁନ୍ଦରତା ବଢ଼ାଇବ କମଳା

କମଳା ଚୋପାକୁ କ୍ଲିଜର ଭଳି ବ୍ୟବହାର କରିହେବ। ଏଥିପାଇଁ ଏକ ଚାମଚ କମଳା ରସରେ ଏକ ଚାମଚ ମହୁ ମିଶାଇ ମୁହଁରେ ଲଗାଇ ୧୫ ମିନିଟ୍‌ ଛାଡି ଦିଅନ୍ତୁ। ଏହାପରେ ମୁହଁକୁ ଧୋଇ ଦିଅନ୍ତୁ। ଏପରି କରିବା ଫଳରେ ତ୍ୱଚାରେ ଥିବା ସମସ୍ତ ମଇଳା ସଫା ହୋଇ ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ।

କମଳା ରସକୁ ସ୍କ୍ରବ ଭଳି ମଧ୍ୟ ବ୍ୟବହାର କରାଯାଇ ପାରିବ। ଏଥିପାଇଁ ଏକ ବଡ଼ ଚାମଚ କମଳା ରସ ସହିତ ଏକ ଛୋଟ ଚାମଚ ଚିନି ଓ ଏକ ଛୋଟ ଚାମଚ ନଡ଼ିଆ ତେଲ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହାପରେ ମୁହଁରେ ଗୋଲାପ ଜଳ ଲଗାଇ ତା’ ପରେ ଏହି ପେଷ୍ଟକୁ ଲଗାଇ ଗୋଲାକାରଭାବେ ମୁହଁରେ ୫ ରୁ ୧୦ ମିନିଟ୍‌ ପାଇଁ ମସାଜ୍‌ କରନ୍ତୁ। ଶେଷରେ ମୁହଁ ଧୋଇ ଦିଅନ୍ତୁ।

ସ୍କ୍ରବ କରିବା ପରେ କମଳା ରସକୁ ଘରୋଇଭାବେ କ୍ରିମ୍‌ ଭଳି ବ୍ୟବହାର କରିହେବ। ଏଥିପାଇଁ ଏକ ଚାମଚ କମଳା ରସରେ ଏକ ଚାମଚ ଆଲୋବେରା ଜେଲ୍‌କୁ ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ଦୁଇ ମିନିଟ୍‌ ମସାଜ୍‌ କରନ୍ତୁ। ଏହା କ୍ରିମ୍‌ ଭଳି କାମ ଦେବ ଏବଂ ମୁହଁର ଉଜ୍ଜ୍ୱଳତା ବୃଦ୍ଧି କରିବ।

ଏକ ଚାମଚ କମଳା ଚୋପାର ଗୁଣ୍ଡରେ ଦୁଇ ଚାମଚ ଦହି କିମ୍ବା ଟମାଟୋ ରସ ମିଶାଇ ଭଲଭାବେ ପେଷ୍ଟ ତିଆରି କରି ୧୫ ମିନିଟ୍‌ ପର୍ଯ୍ୟନ୍ତ ମୁହଁରେ ଲଗାନ୍ତୁ। ଏହାପରେ ଧୋଇ ଦିଅନ୍ତୁ। ସପ୍ତାହକୁ ଦୁଇ ତିନି ଥର ଏପରି କଲେ ତ୍ୱଚା ମୁଲାୟମ ହେବା ସହିତ ଉଜ୍ଜ୍ୱଳ ହୋଇଥାଏ।

ଏକ ଚାମଚ କମଳା ଚୋପାର ଗୁଣ୍ଡ ସହିତ ଏକ ଚାମଚ ନିମ୍ବ ପାଉଡର ଓ ଗୋଲାପ ଜଳ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ଶୁଖିବା ପରେ ଧୋଇ ଦିଅନ୍ତୁ। ଲଗାତର ଏପରି କରିବା ଫଳରେ ମୁହଁରେ ବ୍ରଣ ସମସ୍ୟା ରହିବ ନାହିଁ।

ଏକ ଚାମଚ କମଳା ଚୋପାର ଗୁଣ୍ଡରେ ଲେମ୍ବୁ ରସ ଓ ବେସନ ମିଶାଇ ମୁହଁରେ ଲଗାନ୍ତୁ। ୧୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ। ଏପରି କରିବା ଫଳରେ ମୁହଁରେ ଥିବା ଦାଗ ଦୂର ହୋଇଯିବ।