ହୃଦ୍‌ଘାତ ସୃଷ୍ଟି କରିପାରେ ପାଟି ଇନ୍‌ଫେକ୍‌ଶନ

ଆମେ ଖାଇ ସାରିବା ପରେ ଭଲ ଭାବରେ ପାଟି ସଫା କରିବା ଦରକାର। ନ ହେଲେ ଦାନ୍ତ ମୂଳରେ ଖାଦ୍ୟର ଅବଶିଷ୍ଟାଂଶ ରହି ପାଟିରେ ଇନ୍‌ଫେକଶ୍‌ନ ସୃଷ୍ଟି କରିବାର ଆଶଙ୍କା ରହିଛି। ତା’ ସହ ଦାନ୍ତଜନିତ ସମସ୍ୟା ଦେଖାଦେଇପାରେ। ପାଟିରେ ଇନ୍‌ଫେକଶ୍‌ନ ରହିବା ଦ୍ୱାରା ହୃଦ୍‌ଘାତ ପରି ଗୁରୁତର ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି ବୋଲି ୟୁନିଭର୍ସିଟି ଅଫ ସିଡ୍‌ନୀ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ବିଶେଷଭାବରେ ପେରିୟେଡୋଣ୍ଟେଟିସ୍‌ ଯୋଗୁ ହୃଦ୍‌ଘାତ ଆଶଙ୍କା ଅଧିକ ଥାଏ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି। ପାଟିରେ ସଂକ୍ରମଣ ଦୀର୍ଘଦିନ ରହିବା ଦ୍ୱାରା ଦାନ୍ତମୂଳ ଧୀରେ ଧୀରେ ଦୁର୍ବଳ ହୋଇଯାଏ। ବେଳେବେଳେ ଏଥିରୁ ଆରୋଗ୍ୟ ପାଇଁ ବ୍ୟବହୃତ ମେଡିସିନ୍‌ର ପାର୍ଶ୍ୱପ୍ରତିକ୍ରିୟା ଯୋଗୁ ହୃଦ୍‌ଜନିତ ରୋଗ ହେବାର ଆଶଙ୍କା ରହିଛି ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡିଛି। ଏଥିରୁ ନିଜକୁ ଦୂରେଇ ରଖିବା ପାଇଁ ସକାଳେ ଏବଂ ରାତିରେ ଖାଇବା ପରେ ଭଲ ଭାବରେ ଦାନ୍ତ ଘଷିବା ଦରକାର ।