ବିଦ୍ୟାଳୟ ଶ୍ରେଣୀଗୃହରୁ ଖସିଲା ଓରା

ଗୋପ,୧୮।୪(ଡି.ଏନ୍‌.ଏ.): ପୁରୀ ଜିଲାର ସର୍ବପୁରାତନ ବିଦ୍ୟାଳୟ ମଧ୍ୟରେ ରହିଛି ଗୋପର ନିଗମାନନ୍ଦ ସ୍ମାର୍ଟ ସ୍କୁଲ। ଏହି ପୁରାତନ ବିଦ୍ୟାଳୟରେ ସପ୍ତାହ ତଳେ ଏକ ଶ୍ରେଣୀଗୃହର ଆଜବେଷ୍ଟସରେ ଲାଗି ଥିବା ଗୋଟିଏ ବଡ଼ ଓରା(କାଠ ଶ୍ରେଣୀ) ଖସି ପଡ଼ିଯାଇଥିଲା। ଏହାକୁ ନେଇ ଛାତ୍ରୀଛାତ୍ର ଭୟଭୀତ ହୋଇଯାଇଥିବା ବେଳେ କାଳେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିଲାଗି ସ୍କୁଲ କର୍ତ୍ତୃପକ୍ଷ ଏହା ଲୁଚାଇବାକୁ ଚେଷ୍ଟା କରିଥିଲେ। ଏପରି ଖବର ଜଣାପଡିବା ପରେ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିମାନେ ସ୍କୁଲରେ ପହଞ୍ଚତ୍ବା ପରେ ସତ ଘଟଣା ଏବେ ପଦାକୁ ଆସିଛି। ପ୍ରକାଶ ଯେ,୧୯୪୪ରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବା ବେଳେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧ ହଜାର ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଗତବର୍ଷ ଏହି ସ୍କୁଲକୁ ୫-ଟି ଯୋଜନାରେ ନିଆଯାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ପୁରୁଣା ଆଜବେଷ୍ଟସ ଘରଗୁଡିକୁ କେବଳ ରଙ୍ଗ କରାଯାଇଥିଲା। ଗତ ସପ୍ତାହରେ ହଠାତ୍‌ ଏହି ଆଜବେଷ୍ଟସ ଗୋଟିଏ ଶ୍ରେଣୀ ଗୃହର ଉପରୁ ବଡ଼ ଓରା ଖସି ପଡିଥିଲା। ଶ୍ରେଣୀ ଗୃହରେ ଅଳ୍ପ କିଛି ଛାତ୍ରୀଛାତ୍ର ଥିଲେ ମଧ୍ୟ କୌଣସି ଅଘଟଣ ଘଟି ନ ଥିଲା। ଏହି ଘଟଣା ବିଷୟରେ ବାହାରେ କେହି ନ ଜାଣିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ଏହି ଶ୍ରେଣୀ ଗୃହରେ ତାଲା ପକାଇ ଦେଇଥିଲେ। ଏବେ ୫ଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ନେଇ ୧୮ଟି ସେକ୍ସନ କରାଯାଇଛି। ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିବା ସହ ଅତିଶୀଘ୍ର ଆଜବେଷ୍ଟସ ଘରଗୁଡ଼ିକୁ ଭଙ୍ଗାଯାଇ ନୂତନ ଗୃହ ନିର୍ମାଣ କରାଯିବାକୁ ଦାବି କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ ଏଥିପ୍ରତି ଧ୍ୟାନ ଦେବାକୁ ଦାବି କରାଯାଇଛି। ସୂଚନାଯୋଗ୍ୟ, କିଛିଦିନ ତଳେ ନିଗମାନନ୍ଦ ସ୍ମାର୍ଟସ୍କୁଲ ପୁରାତନ କୋଠା କାନ୍ଥରେ ଫାଟ ସୃଷ୍ଟି ହେବାର ଖବର ପ୍ରକାଶିତ ପରେ ବ୍ଲକ ପକ୍ଷରୁ ଦୁଇଟି ସିମେଣ୍ଟ ବିମ କରାଯାଇଥିଲା। ଏପରି ଅଭିଯୋଗକୁ ନେଇ ସ୍କୁଲର ପ୍ରଧାନଶିକ୍ଷକ ମନୋରଞ୍ଜନ ପଟ୍ଟନାୟକ କହିଛନ୍ତି, ଆର ସପ୍ତାହରେ ଆଜବେଷ୍ଟସ ଘର ଉପରୁ ଏକ କାଠ ଶ୍ରେଣୀ ଖସିଥିଲା। ଏହାକୁ ମରାମତି କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି।