Categories: ଜାତୀୟ

ରାଜ୍ୟ ସଭାରେ ୟୁସିସି ବିଲ୍‌କୁ ବିରୋଧ

ନୂଆଦିଲ୍ଲୀ,୧୦ା୧୨(ପି.ଟି.): ରାଜ୍ୟ ସଭାରେ ଶୁକ୍ରବାର ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ମଧ୍ୟରେ ୟୁନିଫର୍ମ ସିଭିଲ୍‌ କୋଡ୍‌ (ୟୁସିସି) ବିଲ୍‌, ୨୦୨୦ ଆଗତ କରାଯାଇଛି। ୟୁସିସି ବା ସମାନ ନାଗରିକ ସଂହିତା ପ୍ରସ୍ତୁତି ନିମନ୍ତେ ଏକ କମିଟି ଗଠନ ପାଇଁ ଏହାକୁ ଏକ ପ୍ରାଇଭେଟ୍‌ ମେମ୍ବର ବିଲ୍‌ ଭାବେ ଅଣାଯାଇଛି।
ଭାଜପା ଏମ୍‌ପି କିରୋଡି ଲାଲ୍‌ ମୀନା ବିଲ୍‌ ଆଗତ କରି ୟୁନିଫର୍ମ ସିଭିଲ୍‌ କୋଡ୍‌ ପ୍ରସ୍ତୁତି ଓ ସାରା ଦେଶରେ ଏହାର କାର୍ଯ୍ୟକାରିତା ନିମନ୍ତେ ଏକ ଜାତୀୟ ନିରୀକ୍ଷଣ ଓ ଅନୁଧ୍ୟାନ କମିଟି ଗଠନ ଚାହିଁଥିଲେ। ତେବେ ବିରୋଧୀ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍‌), ତୃଣମୂଳ କଂଗ୍ରେସ ସଦସ୍ୟମାନେ ବିଲ୍‌କୁ ବିରୋଧ କରିଥିଲେ। ଏହା ଦେଶରେ ରହିଥିବା ସାମାଜିକ ସମ୍ପର୍କ ଏବଂ ବିବିଧତା ମଧ୍ୟରେ ଏକତାକୁ ନଷ୍ଟ କରିଦେବ ବୋଲି ସେମାନେ ଅଭିଯୋଗ କରିଥିଲେ। ୟୁନିଫର୍ମ ସିଭିଲ୍‌ କୋଡ୍‌ ନା ଜରୁରୀ ନା ବାଞ୍ଛନୀୟ ବୋଲି ନ୍ୟାୟିକ କମିଶନ ରିପୋର୍ଟରେ କୁହାଯାଇଥିବା ସିପିଆଇ(ଏମ୍‌) ସଦସ୍ୟ ଜନ୍‌ ବ୍ରିଟ୍ଟାସ୍‌ କହିଥିଲେ। ୟୁସିସି ଧର୍ମନିରପେକ୍ଷତା ବିରୋଧୀ ବୋଲି ଡିଏମ୍‌କେ ସଦସ୍ୟ ତିରୁଚି ଶିବା କହିଥିଲେ। ସମାଜବାଦୀ ପାର୍ଟି ଏମ୍‌ପି ଆର୍‌.ଜି. ବର୍ମା ମଧ୍ୟ ବିଲ୍‌କୁ ବିରୋଧ କରିଥିଲେ। ଏହା ସାମ୍ବିଧାନିକ ବ୍ୟବସ୍ଥାର ବିରୋଧୀ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ଅନ୍ୟପକ୍ଷରେ ଭାଜପା ଏମ୍‌ପି ହରନାଥ ସିଂ ଯାଦବ ଦେଶରେ ସମାନ ନାଗରିକ ସଂହିତା କାର୍ଯ୍ୟକମାରୀ କରିବା ଉପରେ ଶୂନ୍ୟ କାଳରେ ଆଲୋଚନା ପାଇଁ ନୋଟିସ୍‌ ଦେଇଥିଲେ। ବିଲ୍‌ ପ୍ରତ୍ୟାହାର କରାଯାଉ ବୋଲି ବିରୋଧୀ ଦଳଗୁଡ଼ିକ ଦାବି କରିଥିଲେ। ବିଲ୍‌ ଆଗତକୁ ବିରୋଧ କରି ଗୃହରେ ହଟ୍ଟଗୋଳ ଲାଗି ରହିବାରୁ ଭୋଟ ଜରିଆରେ ଏହା ସ୍ଥିର କରାଯାଉ ବୋଲି ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର କହିଥିଲେ। ୬୩ ଭୋଟରେ ବିଲ୍‌କୁ ଆଗତ ଲାଗି ଅନୁମତି ମିଳିଥିଲା ବେଳେ ବିରୋଧରେ ୨୩ ଖଣ୍ଡ ଭୋଟ ପଡ଼ିଥିଲା। ପୂର୍ବରୁ ଏହି ବିଲ୍‌ ଆଗତ କରିବା ଲାଗି ତାଲିକାଭୁକ୍ତ ହୋଇଥିଲେ ହେଁ ରାଜ୍ୟ ସଭାରେ ଅଣାଯାଇ ପାରି ନ ଥିଲା। ଧର୍ମ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ବ୍ୟକ୍ତିଗତ ସୁରକ୍ଷା ଲାଗି ସମାନ ଆଇନ କାର୍ଯ୍ୟକାରୀ କରିବା ଏହି ବିଲ୍‌ର ଉଦ୍ଦେଶ୍ୟ।

Share