Categories: ମେଟ୍ରୋ

ସ୍କୁଲ ପଡ଼ିଆରେ ବିଡିଏର ନିର୍ମାଣକୁ ବିରୋଧ

ଭୁବନେଶ୍ୱର, ୧୧।୧(ବ୍ୟୁରୋ): ୟୁନିଟ୍‌-୬ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ନିଜ କବ୍‌ଜାରେ ରଖି ବେଆଇନ ନିର୍ମାଣ କରୁଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟର ପୁରାତନ ଛାତ୍ର ସଂଘ। ଯଦି ବିଡିଏ କର୍ତ୍ତୃପକ୍ଷ ଏଥିରୁ ନିବୃତ୍ତ ନ ରୁହନ୍ତି ତେବେ ଆବଶ୍ୟକ ପଡ଼ିଲେ ଆମେ ଆନ୍ଦୋଳନ କରିବୁ ବୋଲି ସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।
ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଛାତ୍ର ସଂଘର ଭାଇସ୍‌ ଚେୟାରମ୍ୟାନ୍‌ ସୂର୍ଯ୍ୟ ନାରାୟଣ ଦାସ କହିନ୍ତି, ବିଦ୍ୟାଳୟ ନାମରେ ପ୍ରାୟ ୮ଏକର ଜାଗା ରହିଛି ଏଥିରୁ ୩ ଏକରରୁ ଅଧିକ ବିଡିଏ ଅକ୍ତିଆର କରିଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ବିଦ୍ୟାଳୟ ଗେଟ୍‌ ତାଲା ଭାଙ୍ଗି ବେଆଇନ ନିର୍ମାଣ ଜାରି ରଖିଛି। ଏହାକୁ ସ୍ଥାନୀୟ ବାସିନ୍ଦା, ବିଦ୍ୟାଳୟ ଅଭିଭାବକ କମିଟି ଓ ପୁରାତନ ଛାତ୍ର ସଂଘ ଘୋର ବିରୋଧ କରୁଛି। ଶହେରୁ ଅଧିକ ସ୍ଥାନୀୟ ବାସିନ୍ଦା ଏକାଠି ହୋଇ ଉକ୍ତ କାର୍ଯ୍ୟକୁ ବିରୋଧ କରି କ୍ୟାପିଟାଲ ଥାନା ଆଇଆଇସି ଓ ବିଡିଏ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ କିଛି ସନ୍ତୋଷଜନକ ଉତ୍ତର ମିଳିପାରୁନି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ‘ମୋ ସ୍କୁଲ’ କଥା କହୁଥିବାବେଳେ ବିଡିଏ କର୍ତ୍ତୃପକ୍ଷ ବେଆଇନ କାର୍ଯ୍ୟ କରି ମୁଖ୍ୟମନ୍ତ୍ରୀଙ୍କ ଛବିକୁ ମଳିନ କରିବା ପାଇଁ ଚେଷ୍ଟା କରୁଛନ୍ତି। ‘ମୋ ସ୍କୁଲ’ ଯୋଜନାରେ ସ୍କୁଲର ବିକାଶ ପାଇଁ ପୁରାତନ ଛାତ୍ରମାନେ ଆଗେଇ ଆସୁଥିବାବେଳେ ସରକାରଙ୍କ ଏଭଳି ବେଆଇନ କାର୍ଯ୍ୟ ମନୋବଳକୁ ଦୁର୍ବଳ କରୁଛି। ବିଡିଏ ବିଦ୍ୟାଳୟ ଜାଗାକୁ ଅକ୍ତିଆର କରି ଛାତ୍ରଙ୍କ ଭବିଷ୍ୟତ ସହ ଖେଳୁଛି। ପିଲାଙ୍କର ଖେଳକୁଦ କରିବା ଏକ ଅଧିକାର। ସେଥିରୁ କେହି ବଞ୍ଚତ୍ତ କରିପାରିବେ ନାହିଁ। ପିଲାଙ୍କ ପାଇଁ ଏହି ଲଢ଼େଇ ଜାରି ରହିବ ବୋଲି ସୂର୍ଯ୍ୟ ନାରାୟଣ କହିଛନ୍ତି। ଏ ସମ୍ପର୍କରେ ବିଡିଏ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।