ନିମ୍ନମାନର ପଥର ପ୍ୟାକିଂକୁ ବିରୋଧ

ବାରିପଦା ଅଫିସ,୨୫।୨ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ କୂଳରେ ଚାଲିଥିବା ଆଡ଼ିବନ୍ଧ ଓ ସ୍ପର ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଜଳସ୍ତରରୁ ୨ମିଟର ଗଭୀରରୁ ଆଡ଼ିବନ୍ଧ ନିର୍ମାଣ ପାଇଁ ଯୋଜନା ରହିଥିବା ବେଳେ ଠିକାଦାର ମନମୁଖି ଭାବେ କାର୍ଯ୍ୟ ଚଳାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ମୟୂରଭଞ୍ଜ ଜଳସେଚନ ବିଭାଗ ନିକଟରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖବରପାଇ ବିଭାଗୀୟ ଅଧିକାରୀମାନେ ପହଞ୍ଚିି ତଦନ୍ତ କରିବା ସହିତ ଠିକ୍‌ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବଡ଼ସାହି ବ୍ଲକ ଶିଆଳୀଘାଟୀ ପଞ୍ଚାୟତର ଭଞ୍ଜବାଟୀ ଓ ବାଘୁଆପାଳ ଗ୍ରାମକୁ ସୁରକ୍ଷା ଦେବା ପାଇଁ ବୁଢ଼ାବଳଙ୍ଗ ନଦୀରେ ଜଳସେଚନ ବିଭାଗ ପକ୍ଷରୁ ଆଡ଼ିବନ୍ଧ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ୯କୋଟି ୮୬ଲକ୍ଷ ୪୫ହଜାର ଟଙ୍କା ବ୍ୟୟ ଅଟକଳରେ ୧୪ଶହ ୫ମିଟର ପଥର ପ୍ୟାକିଂ, ୬ଟି ସ୍ପର ଓ ୯୫୫ମିଟର ଆଡ଼ିବନ୍ଧ ନିର୍ମାଣ ପାଇଁ ଅର୍ଥ ବ୍ୟୟବରାଦ ହୋଇଛି। ୨୦୨୧ ଏପ୍ରିଲରୁ ଗୌରବ କନଷ୍ଟ୍ରକ୍ସନ ନାମକ ଠିକାସଂସ୍ଥା ଉକ୍ତ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ନିମ୍ନମାନର ପଥର ପ୍ୟାକିଂ କରାଯାଉଥିବା ନେଇ ଗ୍ରାମବାସୀମାନେ ଠିକାଦାରଙ୍କୁ ଜଣାଇଥିଲେ। ଜଳସ୍ତରରୁ ୨ମିଟର ଗଭୀରରୁ ପଥର ପକାଇ ଆଡ଼ିବନ୍ଧ ନିର୍ମାଣ କରିବାକୁ ନିର୍ଦ୍ଦେଶ ରହିଥିଲେ ହେଁ ଠିକାଦାର ଜଣକ ଜଳ ପ୍ରବାହିତ ହେଉ ନ ଥିବା ସ୍ଥାନରୁ ପଥର କାର୍ଯ୍ୟ ଚଳାଇ ଆସୁଛନ୍ତି ା ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ପରେ ଗ୍ରାମବାସୀମାନେ ମିଳିତ ଭାବେ କାର୍ଯ୍ୟବନ୍ଦ କରିଥିଲେ। ଖବରପାଇ ବିଭାଗୀୟ ଅଧୀକ୍ଷଣଯନ୍ତ୍ରୀ ପ୍ରମୋଦ କୁମାର ପଦ୍ମାସିଂ ପହଞ୍ଚିି କାର୍ଯ୍ୟର ତଦାରଖ କରିବା ସହ ଯୋଜନା ଅନୁଯାୟୀ କାର୍ଯ୍ୟ କରିବାକୁ ଠିକାଦାରଙ୍କୁ ତାଗିଦ୍‌ କରିଛନ୍ତି। ବଡ଼ ବଡ଼ ପଥର ବଦଳରେ ଛୋଟଛୋଟ ପଥରରେ ପ୍ୟାକିଂ କାର୍ଯ୍ୟ ହେଉଥିବାରୁ ବନ୍ୟା ଆସିଲେ ତାହା ସମ୍ପୂର୍ଣ୍ଣ ଧୋଇହୋଇ ଯିବାର ସମ୍ଭାବନା ରହିଥିବା ଗ୍ରାମର ଶିରିଶ ଚନ୍ଦ୍ର ଗିରି, ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ଆନନ୍ଦ ଶଙ୍କର ପାତ୍ର ପ୍ରମୁଖ କହିଛନ୍ତି। ଏ ସଂକ୍ରାନ୍ତରେ ଅଧୀକ୍ଷଣଯନ୍ତ୍ରୀ ପଦ୍ମାସିଂଙ୍କୁ ପଚାରିବାରୁ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ଅଭିଯୋଗ ପାଇବା ପରେ ତଦନ୍ତରେ ଆସି ଠିକା ସଂସ୍ଥାର କର୍ମଚାରୀଙ୍କୁ ତାଗିଦ କରିଛି ା କାର୍ଯ୍ୟରେ ଅବହେଳା ହେଉଥିଲେ ଗ୍ରାମବାସୀ ତୁରନ୍ତ କାର୍ଯ୍ୟ ବନ୍ଦ କରିବାକୁ କୁହାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।