ଜିଏସ୍‌ଟି ଚଢ଼ାଉକୁ ବିରୋଧ: ବିଧାୟିକା କୁସୁମ ଟେଟେଙ୍କ ନାଁରେ ମାମଲା

ପଦ୍ମପୁର/ବରଗଡ଼ ଅଫିସ୍‌,୩୦।୧୧: ବରଗଡ଼ ଜିଲା ପଦ୍ମପୁର ଏବଂ ପାଇକମାଳରେ ସୋମବାର ଜିଏସ୍‌ଟି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉକୁ ବିରୋଧ କରି ଉଭୟ ପଦ୍ମପୁର ଓ ପାଇକମାଳରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଜିଏସ୍‌ଟି ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ ସହିତ କିଛି କାଗଜପତ୍ର ନେଇଯାଇଥିବା ଅଭିଯୋଗ ହୋଇଥିଲା। ଜିଏସ୍‌ଟି ଅଧିକାରୀମାନେ ଏ ନେଇ ଉଭୟ ପଦ୍ମପୁର ଏବଂ ପାଇକମାଳ ଥାନାରେ ଏତଲା ଦେଇଥିଲେ। ଉକ୍ତ ଏତଲାକୁ ଭିତ୍ତି କରି ପଦ୍ମପୁର ଏବଂ ପାଇକମାଳ ଥାନାରେ ପୃଥକ୍‌ ୨ଟି ମାମଲା ରୁଜୁ ହୋଇଥିଲା। ଏଥିରେ ସୁନ୍ଦରଗଡ଼ ଭାଜପା ବିଧାୟିକା କୁସୁମ ଟେଟେ ଏବଂ ଅନ୍ୟ ଦଳୀୟ ନେତା ଅଭିଯୁକ୍ତ ରହିଛନ୍ତି। ପଦ୍ମପୁର ଥାନାରେ ଜିଏସ୍‌ଟି ଅଧିକାରୀଙ୍କ ଏତଲାକୁ ଭିତ୍ତି କରି ଏକ ମାମଲା (ନଂ.୩୧୬/୨୨) ରୁଜୁ ହୋଇଛି। ଏଥିରେ ପଦ୍ମପୁର ନଗର ଭାଜପା ସଭାପତି ସୁନିଲ ଅଗ୍ରୱାଲ ଏବଂ ଅନ୍ୟମାନଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ସେହିପରି ପାଇକମାଳ ଥାନାରେ ଅନ୍ୟ ଏକ ମାମଲା (ନଂ.୨୭୭/୨୨) ରୁଜୁ ହୋଇଛି । ଏଥିରେ ସୁନ୍ଦରଗଡ଼ ଭାଜପା ବିଧାୟିକା କୁସୁମ ଟେଟେ, ପାଇକମାଳର ଭାଜପା ନେତା ଗୋବର୍ଦ୍ଧନ ଅଗ୍ରୱାଲ ଏବଂ ଅନ୍ୟମାନେ ଅଭିଯୁକ୍ତ ରହିଛନ୍ତି।