ଡ୍ରେନ୍‌ ନିର୍ମାଣକୁ ବିରୋଧ

ଲୋଇସିଂହା,୧୬।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଜନ ପକ୍ଷରୁ ଲୋଇସିଂହା ବ୍ଲକ ବୁର୍ଡା ଜାତୀୟ ରାଜପଥ ୨୬ରୁ ଆଗଲପୁର ବ୍ଲକ ନଅଗାଁ(ଖ) ଭାୟା ବଡଟିକା ପର୍ଯ୍ୟନ୍ତ ୭.୪୩୦ କିମି ରାସ୍ତା ପ୍ରଧାନମନ୍ତ୍ରୀ ସଡକ ରାସ୍ତାରେ ସାମିଲ କରାଯାଇଛି। ୮ ସେପ୍ଟେମ୍ବର ୨୦୨୧ରୁ କାମ ଆରମ୍ଭ ହୋଇ ୭ ସେପ୍ଟେମ୍ବର ୨୦୨୨ରେ ଶେଷ ହେବା କଥା। ହେଲେ ବିଭାଗୀୟ ଅବହେଳାରୁ କାମ ବିଳମ୍ବିତ ହୋଇଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜରବଦଖଲ ସମସ୍ୟା ଯୋଗୁ ନିର୍ମାଣ ବିଳମ୍ବ ହେଉଥିବା ବିଭାଗ ପକ୍ଷରୁ କୁହାଯାଇଥିଲା। ଏହାପରେ ସ୍ଥାନୀୟ ତହସିଲ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନଅଗାଁ(ଖ) ହାଇସ୍କୁଲ ଛକଠାରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ସେତେବଳେ ଜବରଦଖଲ ଉଚ୍ଛେଦ ବେଳେ ପାତରଅନ୍ତର କରାଯାଇଥିବା ଅଭିଯୋଗ ହୋଇଥିଲା। ଜବରଦଖଲ ଉଚ୍ଛେଦ ପରେ ମଧ୍ୟ ରାସ୍ତା କାମକୁ ତ୍ୱରାନ୍ବିତ କରାଯାଇ ନ ଥିଲା। ଉଚ୍ଛେଦର ୨ ମାସ ପରେ ରାସ୍ତା କାମ ସମ୍ପୂର୍ଣ୍ଣ ପାଇଁ କାମ ପୁଣି ଆରମ୍ଭ ହୋଇଛି। ହେଲେ ନଆଗାଁ(ଖ) ହାଇସ୍କୁଲ ଛକରେ ବୁର୍ଡା ପଟରୁ ଗଲାବେଳେ ବାମ ପଟରେ ପ୍ରଥମେ ଡ୍ରେନ ପାଇଁ ନିଅଁ ଖୋଳା ଚାଲିଛି। ଏବେ ଡ୍ରେନ ପାଇଁ ଯେଉଁଠି ନିଅଁ ଖୋଳା ଚାଲିଛି ତା ପଛକୁ ଏକ ପୁରଣା ଡ୍ରେନ ରହିଛି। ସେହି ଡ୍ରେନ ଉପରେ କେତେକ ପରିବାର ଘର ନିର୍ମାଣ କରିଛନ୍ତି। ଡ୍ରେନ ଆଗରେ ପୁଣି କାହିଁକି ଡ୍ରେନ କାମ ଚାଲିଛି ଏବଂ ରାସ୍ତାର ଅପରପାର୍ଶ୍ୱ ଜମି ଗୋଚର ହୋଇଥିଲେ ମଧ୍ୟ ପ୍ରଶାସନ ଜବରଦଖଲ ପାଇଁ ପଛଘଞ୍ଚା ଦେବାର ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ।