କୃଷି ଆଇନକୁ ବିରୋଧ

ବରଗଡ଼ ଅଫିସ,୨୭ା୯: ସଂଯୁକ୍ତ  କୃଷକ ମୋର୍ଚ୍ଚା ଆହ୍ବାନକ୍ରମେ କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ସୋମବାର ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ବରଗଡ଼ ସ୍ବତଃସ୍ଫୁର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଥିବା ବେଳେ ବରଗଡ଼ ଗାନ୍ଧୀଛକ ସମେତ ଜିଲାର ଅନେକ ସ୍ଥାନରେ ବିଭିନ୍ନ ଚାଷୀ ସଂଗଠନ ରାସ୍ତାକୁ ଓହ୍ଲାଇଛନ୍ତି । କଂଗ୍ରେସ, ଆମ ଆଦ୍‌ମୀ ପାର୍ଟି, ସିପିଆଇ ପ୍ରମୁଖ ରାଜନୈତିକ ଦଳ ବନ୍ଦ ଡାକରାକୁ ସମର୍ଥନ ଜଣାଇ ଏଥିରେ ସାମିଲ ହୋଇଛନ୍ତି। ଗାଡ଼ି ଚଳାଚଳ ବନ୍ଦ ରହିଛି। ସେହିପରି ପିକେଟିଂ କରି ସ୍ଥାନୀୟ ପେଟ୍ରୋଲ ପମ୍ପ ଏବଂ ସରକାରୀ ଅଫିସଗୁଡ଼ିକୁ ବନ୍ଦ କରି ଦିଆଯାଇଥିବା ଦେଖିବାକୁ ମିଳିଛି। ତେବେ ଅତ୍ୟାବଶ୍ୟକୀୟ ତଥା ଜରୁରୀକାଳିନ ସେବା ଯୋଗାଉଥିବା ଅଫିସ, ଗାଡ଼ି ଆଦିକୁ ଏଥିରୁ ବାଦ୍‌ ଦିଆଯାଇଛି। ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ରହିଥିବା ପରିଲକ୍ଷିତ ହୋଇଛି।