Categories: ଜାତୀୟ

ଆଦାନୀ ପ୍ରସଙ୍ଗରେ ସଂସଦ ଭବନରେ ପ୍ରଦର୍ଶନ କଲେ ବିରୋଧୀ ଦଳ…

ନୂଆଦିଲ୍ଲୀ,୬।୨ : ଆଦାନୀ ପ୍ରସଙ୍ଗରେ ସଂସଦ ଭବନରେ ବିରୋଧୀ ଦଳ ପ୍ରଦର୍ଶନ କରିଛନ୍ତି। କଂଗ୍ରେସ, ଡିଏମକେ, ଏନସିପି, ବିଆରଏସ, ଜେଡିୟୁ, ଏସପି, ସିପିଏମ, ସିପିଆଇ, କେରଳ କଂଗ୍ରେସ (ଜୋସେ ମଣି), ଜେଏମଏମ, ଆରଜେଡି, ଆରଏସପି, ଏଏପି, ଆଇଏମଏଲ, ଆରଜେଡି ଏବଂ ଶିବସେନା ସଂସଦ ଅଧିବେଶନ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ବୈଠକ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଚାମ୍ବରରେ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ, ଆଦାନୀ-ହିଣ୍ଡେନବର୍ଗ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ ଉପରେ ଆଲୋଚନା ହୋଇଥିଲା। ବିରୋଧୀ ଦଳ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ସଂସଦର ଉଭୟ ଗୃହରେ ସ୍ଥଗିତାଦେଶପ୍ରେସ୍ତାବ ଦେବେ। ଆଦାନୀ ମାମଲା ଉପରେ ଆଲୋଚନା ପାଇଁ ଦାବି ହେବ। ଏହା ବ୍ୟତୀତ ଅନ୍ୟ କିଛି କାମ ହେବ ନାହିଁ ।

ଆଦାନୀ ମାମଲାରେ କଂଗ୍ରେସ ଏମ୍‌ପି କେ.ସି ଭେନୁଗୋପାଲ କହିଛନ୍ତି ଯେ ଆମେ ମିଳିତ ସଂସଦୀୟ କମିଟି (ଜେପିସି) ତଦନ୍ତ ଚାହୁଁଛୁ, ସରକାର ସବୁକିଛି ଲୁଚାଇବାକୁ ଚାହୁଁଛନ୍ତି। ସରକାରଙ୍କ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ ଆମେ ଦେଇଥିବା ନୋଟିସ ୨୬୭ ଉପରେ ଆଲୋଚନା ହେବା ଉଚିତ କାରଣ ଏହା ରାଷ୍ଟ୍ରପତିଙ୍କ ଅଭିଭାଷଣଠାରୁ ଭିନ୍ନ ବିଷୟ। ଆମେ ଚାହୁଁ ଏହା ପ୍ରଥମେ ଆଲୋଚନା କରାଯାଉ। ଆମେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ, କିନ୍ତୁ ସମଗ୍ର ଦେଶରେ ଘଟୁଥିବା ବିଶୃଙ୍ଖଳା ଉପରେ ପ୍ରଧାନମନ୍ତ୍ରୀ ଉତ୍ତର ଦେବା ଜରୁରୀ।

ବିରୋଧୀ ଏମ୍‌ପିମାନେ ସଂସଦ ପରିସରରେ ଏକାଠି ହୋଇ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ବିରୋଧ ପ୍ରଦର୍ଶନ କରି ମିଳିତ ସଂସଦୀୟ କମିଟି (ଜେପିସି) କିମ୍ବା ଆଦାନୀ ଗ୍ରୁପ ମାମଲାର ସୁପ୍ରିମକୋର୍ଟଙ୍କ ତଦାରଖ ଦାବି କରିଥିଲେ।

Share