ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ରାସ୍ତାକୁ ଓହ୍ଲାଇଲେ ବିରୋଧୀ

ଜୟପୁର, ୩୦ା୧୨ (ନି.ପ୍ର.): ସ୍ବାମୀ ଓ ପୁଅକୁ ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣବଳାତ୍କାର ଘଟଣାର ୬ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ପଡିଛି। ଅଭିଯୁକ୍ତମାନେ ବାହାରେ ନିର୍ଭୟରେ ବୁଲୁଛନ୍ତି। ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରି ସାକ୍ଷୀଙ୍କୁ ଧମକଚମ ଦେଉଛନ୍ତି। ଏହାର ପ୍ରତିବାଦ କରିବା ସହ ମହିଳାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ଭାଜପା ଓ କଂଗ୍ରେସ।

ଗୁରୁବାର ଭାଜପା ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ବେଳେ କଂଗ୍ରେସ ପକ୍ଷରୁ ଧାରଣା ଦେଇ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା। ଗୌତମ ସାନ୍ତରାୟଙ୍କ ନେତ୍‌ୃତ୍ୱରେ ଶୁକ୍ରବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଜୟପୁର ବନ୍ଦ ରହିଥିଲା। ଦୋକାନ ବଜାର, ଚକଅଖ ସବୁ ବନ୍ଦ ଥିଲା। ଏକ ବାଇକ୍‌ ଶୋଭାଯାତ୍ରାରେ ସହର ପରିକ୍ରମା କରି ଦଳୀୟ କର୍ମୀ ଓ କର୍ମକର୍ତ୍ତାମାନେ ୨୬ ନଂ. ଜାତୀୟ ରାଜପଥର ମୁଖ୍ୟ ଟ୍ରାଫିକ ଛକଠାରେ ରାସ୍ତା ଅବରୋଧ କରିଥିଲେ।

ସେହିପରି ଜିଲା ମହିଳା କଂଗ୍ରେସ ପକ୍ଷରୁ ଏସ୍‌ଡିପିଓ ଅଫିସ ସମ୍ମୁଖରେ ଧାରଣା ଦେଇ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା। ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦେଇ ପୋଲିସ ଉପରେ ବର୍ଷିଥିଲେ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା, ପୀଡିତାଙ୍କୁ ୫୦ ଲକ୍ଷ ଟଙ୍କା ଓ ଘର ଯୋଗାଇ ଦେବାକୁ ଦାବି କରିଥିଲେ। ଯଦି ଦାବି ପୂରଣ ନ ହୁଏ ତେବେ ଆସନ୍ତା ୭ ରେ କୋରାପୁଟ ଜିଲାକୁ ବନ୍ଦ କରାଯିବ। ଏହାର ୨ ଦିନ ପରେ ନବୀନ ନିବାସ ଘେରାଉ କରିବାକୁ ବାହିନୀପତି ଚେତାବନୀ ଦେଇଥିଲେ।