ଇସ୍ଲାମାବାଦ,୧୩।୧: ଆଫଗାନିସ୍ତାନର ଶାସକ ତାଲିବାନ ଦେଶରେ ବାଳିକା ଓ ନାରୀଶିକ୍ଷା ଉପରେ କଟକଣା ଲଗାଇଥିବାରୁ ଏହାକୁ ବିରୋଧ ଓ ପ୍ରତ୍ୟାଖ୍ୟାନ କରିବା ପାଇଁ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମାଲାଲା ୟୁସୁଫ୍ଜାଇ ମୁସଲମାନ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି। ପାକିସ୍ତାନ ରାଜଧାନୀ ଇସ୍ଲାମାବାଦରେ ରବିବାର ନାରୀଶିକ୍ଷାର ଅଗ୍ରଗତି ଉପରେ ମୁସଲମାନବହୁଳ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିଙ୍କୁ ଉଦ୍ବୋଧନ ଦେଇ ମାଲାଲା ଏହା କହିଛନ୍ତି। ତାଲିବାନକୁ ମାନ୍ୟତା ନ ଦେବା ଲାଗି ସେ ନିବେଦନ କରିଛନ୍ତି। ବାଳିକା ଶିକ୍ଷା ସପକ୍ଷରେ ଆନ୍ଦୋଳନ ଚଳାଇଥିବା ମାଲାଲାଙ୍କ ଉପରେ ପାକିସ୍ତାନୀ ତାଲିବାନ୍ ୨୦୧୨ରେ ଆକ୍ରମଣ କରିଥିଲାବେଳେ ସେ ଅଳ୍ପକେ ବର୍ତ୍ତିଯାଇଥିଲେ। ମୁସଲିମ୍ ରାଷ୍ଟ୍ରଗୁଡ଼ିକର ସମନ୍ବିତ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବା ସହ ଏହାଦ୍ୱାରା ପ୍ରକୃତ ନେତୃତ୍ୱ ପ୍ରଦର୍ଶନ କରାଯାଇପାରିବ ବୋଲି ୨୭ ବର୍ଷୀୟା ଶିକ୍ଷା ଆକ୍ଟିଭିଷ୍ଟ କହିଛନ୍ତି।


