ଓପିଜିସି ପାଉଁଶ ପାଇପ୍‌ ଫାଟିଲା

ଝାରସୁଗୁଡ଼ା ଅଫିସ,୯ା୪: ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନ ନିିଗମ (ଓପିଜିସି)ର ବନହରପାଲିସ୍ଥିତ ଇବ୍‌ତାପଜ ବିଦ୍ୟୁତ୍‌ କେନ୍ଦ୍ରର ୩ୟ ଓ ୪ର୍ଥ ୟୁନିଟ୍‌ରୁ ନିର୍ଗତ ହେଉଥିବା ତରଳ ବର୍ଜ୍ୟବସ୍ତୁ ପାଉଁଶ ପାଇପ୍‌ ଯୋଗେ ଆସ୍‌ପଣ୍ଡକୁ ଯାଉଛି। ହେଲେ ବନହରପାଲି ଗ୍ରାମ ନିକଟରେ ପାଇପ୍‌ ଫାଟିଯିବା ଫଳରେ ଗ୍ରାମବାସୀ ପ୍ରଭାବିତ ହୋଇଛି। ଗ୍ରାମବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଓପିଜିସି ରିସର୍ଚ୍ଚ ସେଣ୍ଟର ଘେରାଉ କରିଥିଲେ। ଆନ୍ଦୋଳନରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ଖବରପାଇ ଓପିଜିସି ଅଧିକାରୀ ଏନ୍‌.ଏନ୍‌. ଷଡଙ୍ଗୀ, ହିମାଂଶୁ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ।
ଗ୍ରାମବାସୀ ଅଭିଯୋଗ କରିଥିଲେ, ଆଶ୍‌ ପାଇପ୍‌ ଫାଟିଯିବା ଫଳରେ ତରଳ ବର୍ଜ୍ୟବସ୍ତୁ ପାଉଁଶ ଗାଁ ପୋଖରୀ, ବାସଗୃହ ଓ ଚାଷ ଜମରେ ମାଡିଯାଇଛି । ଏଥିରେ ପୋଖରୀ ପାଣି ପ୍ରଦୂଷିତ ହେବା ସହ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ଏଭଳି ସମସ୍ୟା ବାରମ୍ବାର ଦେଖାଦେବା ଫଳରେ ଗ୍ରାମବାସୀ ପ୍ରଭାବିତ ହେଉଛନ୍ତି। ଏ ଦିଗରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ସୁଫଳ ମିଳୁନାହିଁ। ଗ୍ରାମବାସୀଙ୍କ ଏଭଳି ଅଭିଯୋଗକୁ ପ୍ରକଳ୍ପ କର୍ତ୍ତୃପକ୍ଷ ବିଚାରକୁ ନେଇ ଶନିବାର ଏକ ସ୍ବତନ୍ତ୍ର ଟେକ୍ନିକାଲ୍‌ ଟିମ୍‌ ଗ୍ରାମର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ ପରେ ସମାଧାନ ଦିଗରେ ଗ୍ରାମବାସୀଙ୍କ ସହିତ ଆଲୋଚନ କରିବ ବୋଲି ନିଷ୍ପତ୍ତି ହୋଇଛି। ଏ ନେଇ କମ୍ପାନୀର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହିମାଂଶୁ ବେହେରା କହିଛନ୍ତି, ଆଶ୍‌ପାଇପ୍‌ ଫାଟିଯିବା ଫଳରେ ଗାଁ ପ୍ରଭାବିତ ହୋଇଛି। ଏହାର ପ୍ରତିକାର ଦିଗରେ ପ୍ରଥମେ ଫାଟିଥିବା ପାଇପ୍‌ ମରାମତି କରାଯାଉଛି। କମ୍ପାନୀ ତରଫରୁ ଅନୁଧ୍ୟାନ କରାଯାଇ ସମସ୍ୟାର ସମାଧାନ କରାଯିବ। ଓପିଜିସି କାର୍ଯ୍ୟାଳୟ ଘେରାଉରେ ଗ୍ରାମବାସୀଙ୍କ ତରଫରୁ ତେଲେନପାଲି ସରପଞ୍ଚ ଆକାଶ ସାହୁ, ସମିତିସଭ୍ୟ ଅରୁଣ ପ୍ରଧାନ, ସନ୍ତୋଷ ବଗର୍ତ୍ତି, କାର୍ତ୍ତିକ ଚନ୍ଦନ, ଟିକୁ ପ୍ରଧାନ, ମନବୋଧ ଚନ୍ଦନ, ମନୋଜ ଚନ୍ଦନ, ଦିତି ଗିରି, ଅନସୂୟା ସା ପ୍ରମୁଖ ସାମିଲ ଥିଲେ।