ଭୂକମ୍ପରେ ଥରୁଥିଲା ଅପରେଶନ ଥିଏଟର, ଜନ୍ମ ନେଲେ ଶିଶୁ, ଭିଡ଼ିଓ ଭାଇରାଲ…

ଶ୍ରୀନଗର,୨୨।୩ : ମଙ୍ଗଳବାର ବିଳମ୍ବିତ ରାତିରେ ଉତ୍ତର ଭାରତରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା। ଏହି ସମୟରେ ଜମ୍ମୁକଶ୍ମୀରର ଅନନ୍ତନାଗ ଜିଲାର ଏକ ଡାକ୍ତରଖାନାର ଡାକ୍ତରମାନେ ଏକ ଶିଶୁପୁତ୍ରଙ୍କର ଜନ୍ମ ସଫଳତାର ସହିତ କରାଇଛନ୍ତି। ଶିଶୁଟି ଲୋୟର-ସେଗମେଣ୍ଟ ସିଜେରିୟାନ ମାଧ୍ୟମରେ ଜନ୍ମ ହୋଇଛି। ସୂଚନା ଅନୁଯାୟୀ, ଅନନ୍ତନାଗର ବିଜବେହାରସ୍ଥିତ ସବ ଜିଲା ହସ୍ପିଟାଲେୀ ଜରୁରୀକାଳୀନ ପ୍ରସବ ଅପରେଶନ ଚାଲିଥିଲା ବେଳେ ଭୂକମ୍ପ ଅନୁଭୂତ ହୋଇଥିଲା।

ଭୂକମ୍ପରେ ଅପରେଶନ ଥିଏଟର ଥରୁଥିଲା। ତେବେ ଡାକ୍ତରମାନେ ଭୟଭୀତ ନ ହୋଇ ପ୍ରସବ କରାଇଥିଲେ। ଏହାର ଏକ ମିନିଟ ୫ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଭୂକମ୍ପ ସମୟରେ କର୍ମଚାରୀମାନେ କିପରି କାର୍ଯ୍ୟ କରୁଛନ୍ତି ଏବଂ ସେମାନଙ୍କ ଚାରିପାଖରେ ସବୁକିଛି ଥରୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି।

ଜିଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଟୁଇଟ କରି କହିଛନ୍ତି ଯେ ଏଲଏସସି ପରିଚାଳନା କରୁଥିବା ସବ ଜିଲା ହସ୍ପିଟାଲ କର୍ମଚାରୀଙ୍କୁ ଧନ୍ୟବାଦ। ଏହା ସହିତ, ସେ ଲେଖିଛନ୍ତି ଯେ ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତୁ ଯେ ସବୁକିଛି ଠିକ ହୋଇଛି ।

 

Share