Categories: ଜାତୀୟ

ଅପରେଶନ ସମୟରେ କଥା ହେଉଥିଲେ ରୋଗୀ, ଡାକ୍ତର କରିଦେଲେ ବ୍ରେନ୍‌ ସର୍ଜରୀ

ସାଧାରଣତଃ ଡାକ୍ତରମାନେ ଶାନ୍ତ ଆଉ ଏକାଗ୍ରତା ରକ୍ଷାକରି ରୋଗୀଙ୍କ ଅପରେଶନ କରିଥାନ୍ତି। ଆଉ ଆତ୍ମୀୟସ୍ବଜନମାନେ ବାହାରେ ଠିଆ ହୋଇ ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କରିଥାନ୍ତି। ମାତ୍ର ଓଟିରେ ଜଣେ ରୋଗୀଙ୍କ ଅପରେଶନ ଚାଲିଥିବା ବେଳେ ରୋଗୀ ନିଜେ ଡାକ୍ତରଙ୍କୁ ନିଜର ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ଏବଂ ଡାକ୍ତର ମଧ୍ୟ ତାଙ୍କ ସହ ଲଗାତର କଥାବାର୍ତ୍ତା ଜାରି ରଖିବା କେବେ ଶୁଣିଛନ୍ତି? ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏମିତି ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଅଜମେରଠାରେ।


ଜୈତାରଣରେ ରହୁଥିବା ୩୦ ବର୍ଷୀୟ ସାବର ରାମଙ୍କ ବାମପଟ ମସ୍ତିଷ୍କରେ ଟ୍ୟୁମର ହୋଇଥିଲା। ଏହି ଟ୍ୟୁମର ଅପରେଶନ ସମୟରେ ଡାକ୍ତର ତାଙ୍କ ସହ କଥାବାର୍ତ୍ତା କରୁଥିଲେ। ସାବରଙ୍କର ମିତ୍ତଲ ହସ୍ପିଟାଲରେ ଏହି ଅପରେଶନ କରାଯାଇଥିଲା। ବ୍ରେନ୍‌ ଏବଂ ସ୍ପାଇନ୍‌ ସର୍ଜନ ଡାକ୍ତର ସିଦ୍ଧାର୍ଥ ବର୍ମା ସାବରଙ୍କ ସହ କଥା ହୋଇ ତାଙ୍କର ଟ୍ୟୁମର ଅପରେଶନ କରିଥିଲେ। ଏହି ଅପରେଶନ ଆୟୁଷ୍ମାନ ଭାରତ ମହାତ୍ମା ଗାନ୍ଧୀ ରାଜସ୍ଥାନ ସ୍ବାସ୍ଥ୍ୟ ବୀମା ଯୋଜନାରେ ମାଗଣାରେ କରାଯାଇଥିଲା।


ସାବରଙ୍କ ମୁଣ୍ଡ ଦରଜ ହେଉଥିଲା। ଏକ ମାସ ଧରି ଔଷଧ ଖାଇଥିଲେ ମଧ୍ୟ ଭଲ ହୋଇ ନ ଥିଲା। ତେବେ ଡାକ୍ତରଖାନାକୁ ଆସିବା ପରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଜଣାପଡ଼ିଥିଲା। ନ୍ୟୁରୋ ସର୍ଜନ ଡାକ୍ତରଙ୍କ ଅନୁଯାୟୀ, ଏପରି ରୋଗ ଥିଲେ ରୋଗୀଙ୍କ ସହ କଥାବାର୍ତ୍ତା ଜରୁରୀ। ନଚେତ୍‌ ପରିସ୍ଥିତି ଭୟଙ୍କର ହୋଇଥାଏ। ତେଣୁ ଅପରେଶନ ସମୟରେ ତାଙ୍କୁ ସାବରଙ୍କ ସହ କଥାବାର୍ତ୍ତା କରିବାକୁ ପଡ଼ିଥିଲା। ରୋଗୀଙ୍କୁ ଯେପରି ଦରଜ ନ ହେବ ସେ ପାଇଁ ଆନାସ୍ଥେସିଆ ଦିଆଯାଇଥିଲା। ଏହା ସହିତ ସାବରଙ୍କୁ ଲଗାତର ଆଖି ଖୋଲି ରଖିବାକୁ କୁହାଯାଇଥିଲା। ଆଉ ତାଙ୍କ ସହ କଥାବାର୍ତ୍ତା ମଧ୍ୟ କରିବାକୁ ପଡ଼ିଥିଲା। ଡାକ୍ତରଙ୍କ କହିବାନୁସାରେ, ଏହି ଅପରେଶନରେ ପୂରା ଟିମ୍‌ ଦକ୍ଷତାର ସହ କାମ କରି ସଫଳ ହୋଇଥିଲେ।

Share