ଅପରେଶନ ‘ବ୍ରେକିଂ ଡନ୍‌’

ଗାଜା ସିଟି/ଜେରୁଜେଲମ, ୭।୮: ପ୍ରାୟ ବର୍ଷେ ଧରି ଗାଜାର ହମାସ୍‌ ଓ ଇସ୍‌ଲାମିକ୍‌ ଜେହାଦ ଆତଙ୍କବାଦୀ ଗୋଷ୍ଠୀଙ୍କ ବିରୋଧରେ ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ବନ୍ଦ ଯୋଗୁ ଅପେକ୍ଷାକୃତ ଶାନ୍ତ ଥିବା ସୀମା ଏବେ ପୁଣି ଅଶାନ୍ତ ହୋଇପଡ଼ିଛି। ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରି ଇସ୍ରାଏଲ ଅପରେଶନ ‘ବ୍ରେକିଂ ଡନ୍‌’ରେ ଶୁକ୍ରବାରଠାରୁ ୨ ଦିନ ହେଲା ଗାଜା ଉପରେ ଆକ୍ରମଣ ଜାରି ରଖିଛି। ଏକ ବିଲ୍ଡିଂ ଉପରେ ରକେଟ ମାଡ଼ ଯୋଗୁ ଇସ୍‌ଲାମିକ୍‌ ଜେହାଦ କମାଣ୍ଡର ତାୟସିର ଅଲ୍‌ଜବାରିଙ୍କ ସହ ଆଉ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଇସ୍ରାଏଲ ଆକ୍ରମଣରେ ୧୧ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ୫ ବର୍ଷୀୟ ଶିଶୁ ରହିଛନ୍ତି। ଶନିବାର ମଧ୍ୟ ଗାଜାର କେତେକ ସ୍ଥାନରେ ଇସ୍ରାଏଲ ପକ୍ଷରୁ ରକେଟ ଓ ମିଶାଇଲ ମାଡ଼ କରାଯାଇଛି। ଜବାବରେ ପାଲେଷ୍ଟାଇନ ଆତଙ୍କବାଦୀମାନେ ଇସ୍ରାଏଲ ସହରକୁ ଟାର୍ଗେଟ କରି ୨ ଦିନ ମଧ୍ୟରେ ୧୬୦ରୁ ଊର୍ଦ୍ଧ୍ୱ ରକେଟ ମାଡ଼ କରିଛନ୍ତି। ଏଥିସହ ଇସ୍‌ଲାମୀୟ ଜିହାଦୀ ଏବଂ ଇସ୍ରାଏଲ ସୈନ୍ୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।

ଦକ୍ଷିଣ ପଶ୍ଚିମ ପ୍ରାନ୍ତରେ ବିବାଦୀୟ ଭୂଖଣ୍ଡ ଗାଜାଷ୍ଟ୍ରିପ୍‌ ଅବସ୍ଥିତ। ସଂକୀର୍ଣ୍ଣ ଉପକୂଳବର୍ତ୍ତୀ ଗାଜା ଷ୍ଟ୍ରିପ୍‌ରେ ପ୍ରାୟ ୨୩ ଲକ୍ଷ ପାଲେଷ୍ଟାଇନ୍‌ ନାଗରିକ ବାସ କରନ୍ତି। ଗାଜାଷ୍ଟ୍ରିପ୍‌ରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲୁଥିବା ଇସ୍ରାଏଲ ଅଧିକାଂଶ ସମୟରେ ଅଭିଯୋଗ କରିଥାଏ। ଆତଙ୍କବାଦୀ ଗୋଷ୍ଠୀ ଇସ୍‌ଲାମିକ୍‌ ଜେହାଦ ଗାଜାଷ୍ଟ୍ରିପ୍‌ରୁ ଇସ୍ରାଏଲ ଉପରେ ଆକ୍ରମଣ ଯୋଜନା କରିଥିବା ଇସ୍ରାଏଲ ସେନା ସୂଚନା ପାଇଥିଲା। ଏହାକୁ ଭଣ୍ଡୁର କରିବାକୁ ଇସ୍ରାଏଲ ପକ୍ଷରୁ ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରାଯାଇ ଶୁକ୍ରବାର ରକେଟ ମାଡ଼ କରାଯାଇଥିଲା। ଏହା ପୂର୍ବରୁ ଇସ୍ରାଏଲ ଯୋଜନାବଦ୍ଧ ଭାବେ ଗାଜାକୁ ଇନ୍ଧନ ଯୋଗାଣ ବନ୍ଦ କରିଥିଲା। ଏଥିଯୋଗୁ ସେଠାରେ ଥିବା ଏକମାତ୍ର ପାଓ୍ବାର ପ୍ଲାଣ୍ଟ୍‌ରୁ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି।

ଗାଜାବାସିନ୍ଦାଙ୍କ ପାଇଁ ଦିନକୁ ମାତ୍ର ୪ ଘଣ୍ଟା ବିଦ୍ୟୁତ୍‌ ଯୋଗାଣ ହୋଇପାରୁଛି। ଓ୍ବେଷ୍ଟ ବ୍ୟାଙ୍କରୁ ଜଣେ ବରିଷ୍ଠ ଇସ୍‌ଲାମିକ୍‌ ଜେହାଦ ନେତା ଗିରଫ ହେବା ପରେ ଗାଜା ଏବଂ ଇସ୍ରାଏଲ ମଧ୍ୟରେ ସଦ୍ୟ ବିବାଦ ଆରମ୍ଭ ହୋଇଛି। ତୁରନ୍ତ ଅସ୍ତ୍ରବିରତି ପାଇଁ ଜାତିସଂଘ ସ୍ବତନ୍ତ୍ର ରାଷ୍ଟ୍ରଦୂତ ଟୋର୍‌ ଓ୍ବେନେସଲ୍ୟାଣ୍ଡ୍‌ ଆହ୍ବାନ ଦେଇଛନ୍ତି। ସେହିପରି ଉଭୟ ପକ୍ଷ ସଂଯମ ରକ୍ଷା କରିବାକୁ ୟୁରୋପୀୟ ସଂଘ ବୈଦେଶିକ ନୀତି ମୁଖ୍ୟ ଜୋସେପ୍‌ ବୋରେଲ କହିଛନ୍ତି।

Share