ନମ୍ବର ପ୍ଲେଟ ଖୋଲି ମୋରମ ଚୋରାଚାଲାଣ

ଜଳେଶ୍ୱର, ୨୯ା୮(ଡି.ଏନ.ଏ.): ଜଳେଶ୍ୱର ବ୍ଲକ ରାଇବଣିଆର ବିଭିନ୍ନ ଜଙ୍ଗଲ ଅଞ୍ଚଳରୁ ପଶ୍ଚିମବଙ୍ଗକୁ ବ୍ୟାପକ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ମୋରମ ଖନନ ଓ ପରିବହନ ପାଇଁ କେତେକ ସରକାରୀ କଟକଣା ଥିଲାବେଳେ କେତେକ ର଼୍ୟାକେଟ ଖୁଲମଖୁଲା ଚାଲାଣ କରୁଥିବା କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ରାଇବଣିଆର ଉତ୍ତର ଓ ପୂର୍ବ ଦିଗରେ ସୁବର୍ଣ୍ଣରେଖା ପ୍ରବାହିତ ହେଉଥିବାରୁ ଏହି ଅଞ୍ଚଳ ପାହାଡିଆ ଅଟେ। ସେ ଅଞ୍ଚଳର ମୋରମ ସରକାରୀ ନିଲାମ ଦିଆଯାଇ ନ ଥିବା ବେଳେ ସେଠାରୁ ଚୋରାରେ ଚାଲାଣ ହୋଇଆସୁଛି। ବରଡିହା ପଞ୍ଚାୟତର ରାଇଶୋଳ ଗ୍ରାମ ନିକଟରୁ ଚୋରାରେ ମୋରମ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି। ଦିବାରାତ୍ର କେତେକ ଡମ୍ପର ରାଇଶୋଳରୁ ଭାୟା ଅଗ୍ରୱାଲା ଛକ ଦେଇ ୬୦ନଂ ଜାତୀୟ ରାଜପଥରେ ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି। ଏଥିନିମନ୍ତେ ତହସିଲ କାର୍ଯ୍ୟାଳୟର କେତେକ କର୍ମଚାରୀ ସମ୍ପୃକ୍ତ ଥିବା କୁହାଯାଇଛି। କୌଣସି ସ୍ଥାନରୁ ଖବରପାଇ ରାଜସ୍ବ ବିଭାଗର କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତମାନେ ଜାଣିପାରୁଥିବା ଯୋଗୁ କର୍ମଚାରୀଙ୍କ ସମ୍ପୃକ୍ତିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଡମ୍ପରଗୁଡିକ ଜଣା ନ ଯିବା ଲାଗି ନମ୍ବର ପ୍ଲେଟ ଖୋଲି ଏପରି ଚୋରାଚାଲାଣ ହେଉଥିବା କୁହାଯାଉଛି। କେବଳ ବରଡିହା ନୁହେଁ, ଶ୍ୟାମନଗର, ସର୍ଦ୍ଦାରବନ୍ଧ ଓ ରାଇବଣିଆ ପଞ୍ଚାୟତର କେତେକ ଜଙ୍ଗଲ ଅଞ୍ଚଳରୁ ଏପରି ଚୋରାଚାଲାଣ ହୋଇଆସୁଥିବା କୁହାଯାଇଛି। ଉପରୋକ୍ତ ୩ପଞ୍ଚାୟତରୁ ଅଧିକ ମୋରମ ନୟାଗ୍ରାମ ଥାନାକୁ ଚୋରାରେ ଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି।  ବାଲି ଓ ମୋରମ ଚୋରାଚାଲାଣ ରୋକିବା ଲାଗି ଟାକ୍ସଫୋର୍ସ ଗଠନ ଲାଗି ଦାବି ହେଉଛି।