କବାଟ ଖୋଲୁ ଖୋଲୁ ଜୀବନ ଗଲା

ବୈଶିଙ୍ଗା(ରତନ ଦାଶ)/ବେତନଟୀ(ଧରଣୀଧର ମହାନ୍ତି),୧୯ା୯: କବାଟ ପାଖରେ ଜଗି ରହିଥିଲା ମୃତ୍ୟୁ। ଘରକୁ ଫେରି କବାଟ ଖୋଲିବା ମାତ୍ରେ ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ। ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଗଡିଆ ଗ୍ରାମରେ ସୋମବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ଜଣକ ହେଲେ ସ୍ବର୍ଗତଃ ଲୁନ୍ଦ୍ରା ଟୁଡୁଙ୍କ ପୁଅ ଦମନ (୩୫)।
ଅପରାହ୍ନରେ ଦମନ ଘରକୁ ଫେରି କବାଟ ଖୋଲୁଥିବା ବେଳେ ପୂର୍ବରୁ ସର୍ଟସର୍କିଟ ବଶତଃ ଚାର୍ଜ ହୋଇଯାଇଥିବା ସମ୍ମୁଖ ଦ୍ୱାର ସଂସ୍ପର୍ଶରେ ଆସି ଯାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବେତନଟୀ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ବୈଶିଙ୍ଗା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୩୫/୨୩) ରୁଜୁ ହୋଇଛି।