Categories: ଜାତୀୟ

ଗୁଜରାଟର ପୂର୍ବତନ ରାଜ୍ୟପାଳ ଓପି କୋହଲିଙ୍କ ପରଲୋକ

ଅହମଦାବାଦ,୨୦।୨: ଗୁଜରାଟର ପୂର୍ବତନ ରାଜ୍ୟପାଳ ତଥା ଭାଜପାର ବରିଷ୍ଠ ନେତା ଓମ୍‌ ପ୍ରକାଶ କୋହଲିଙ୍କ ସୋମବାର ପରଲୋକ ଘଟିଛି। ୮୭ବର୍ଷରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ କିଛି ଦିନରୁ ସେ ରୋଗାଗ୍ରସ୍ତ ଥିଲେ। ନୋଏଡାର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ମଙ୍ଗଳବାର ତାଙ୍କର ଶେଷକୃତ୍ୟ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି। ମୋଦି ଟୁଇଟ କରି କହିଛନ୍ତି, ଜଣେ ଏମ୍‌ପି ଓ ରାଜ୍ୟପାଳ ଭାବେ ଓପି କୋହଲି ଜନକଲ୍ୟାଣ ପ୍ରସଙ୍ଗ ଉପରେ ଅନେକ କାମ କରିଛନ୍ତି। ଏଥିସହ ଭାଜପା ନେତା ଭାବେ ତାଙ୍କର ଯୋଗଦାନକୁ ମନେପକାଇ ମୋଦି କହିଛନ୍ତି, ଦିଲ୍ଲୀରେ ଆମ ଦଳକୁ ମଜଭୁତ କରିବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେହିପରି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଓପି କୋହଲିଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି। ଭୂପେନ୍ଦ୍ର ପଟେଲ ଟୁଇଟ କରି କହିଛନ୍ତି, ପୂର୍ବତନ ରାଜ୍ୟପାଳଙ୍କ ବ୍ୟକ୍ତିତ୍ୱ ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ସର୍ବଦା ସ୍ମରଣୀୟ ହୋଇରହିବ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବା ସହ ଶୋକସନ୍ତପ୍ତ ପରିବାରକୁ ଦୁଃଖ ସହିବାକୁ ଧର୍ଯ୍ୟ ଦିଅନ୍ତୁ ବୋଲି ଭୂପେନ୍ଦ୍ର ପଟେଲ କହିଛନ୍ତି।

Share