ନିର୍ବାଚନ ମଇଦାନରେ ବାପା-ପୁଅ: ଚାଲିଛି କଡ଼ା ଟକ୍କର

ପୋଲସରା,୯।୩(ଡି.ଏନ୍‌.ଏ.): କୁହାଯାଏ, ବାପ ଥିବା ପୁଅ ସଭାରେ ହାରେନି। ହେଲେ, ପୁଅକୁ ହରାଇବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଜଣେ ବାପା। ନିର୍ବାଚନ ରଣାଙ୍ଗନରେ ଉଭୟ ବାପା ପୁଅଙ୍କ ମଧ୍ୟରେ ଲଢ଼େଇ । ଚାଲିଛି କଡ଼ା ଟକ୍କର। ଏଭଳି ନିଆରା ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପୋଲସରା ଏନ୍‌ଏସିରେ । ଏନ୍‌ଏସି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଥିବା ବେଳେ ଦୁଇ ନମ୍ବର ଓ୍ବାର୍ଡ଼ରୁ କାଉନସିଲର୍‌ ପଦବୀ ପାଇଁ ବାପପୁଅ ମଧ୍ୟରେ ମୁହାଁମୁହିଁ ଲଢ଼େଇ ହେବାକୁ ଯାଉଛି । ପୋଲସରା ଏନଏସିର ପ୍ରଥମ ମହିଳା ଅଧ୍ୟକ୍ଷା ସୌଦାମିନୀ ସାହୁଙ୍କ ସ୍ବାମୀ ଦୁର୍ଯୋଧନ ସାହୁ ୨ ନମ୍ବର ଓ୍ବାର୍ଡ଼ରୁ କାଉନ୍‌ସିଲର ପଦବୀ ପାଇଁ ଭାଜପାରୁ ନାମାଙ୍କନ ଦାଖଲ କରିଥିବା ବେଳେ ପୁଅ ଅନୀଲ କୁମାର ସାହୁ ବିଜେଡିରୁ ନାମାଙ୍କନ ଦାଖଲ କରିଛନ୍ତି । ଏନେଇ ଅନୀଲ କହିଛନ୍ତି, ବାପା ଜାଣିକି ମୋ ବିରୋଧରେ ଭାଜପାରୁ ପ୍ରାର୍ଥୀ ହୋଇଛନ୍ତି। ସେ ଗାଁ ପାଇଁ ବହୁତ କିଛି କରିଛନ୍ତି। ତାଙ୍କର ବହୁତ ଅବଦାନ ଅଛି। ମୋର ଆଶା ଅଛି ମୁଁ ବହୁତ କିଛି କରିବି । ଏହା ଶାନ୍ତିପୂର୍ଣ୍ଣ ନିର୍ବାଚନ ହେବ ବୋଲି ଆଶା କରିଛି।