Categories: ଜାତୀୟ

୫୦ ବର୍ଷ ଧରି ଗୋଟିଏ ଆସନରୁ ଲଗାତର ନିର୍ବାଚନ ଜିତିଆସୁଥିଲେ ଓମେନ ଚାଣ୍ଡି

ଥିରୁଭାନନ୍ତପୁରମ୍‌,୧୮ା୭: ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓମେନ ଚାଣ୍ଡିଙ୍କ ପରଲୋକ ଘଟିଛି। ଦୀର୍ଘ ଦିନର ଅସୁସ୍ଥତା ପରେ ୭୮ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି। କେରଳର ରାଜନୀତିରେ ଓମାନର ସ୍ଥିତି ବହୁତ ବଡ ଥିଲା। ସେ ଦୁଇଥର କେରଳର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ୧୨ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ତାଙ୍କର ରାଜନୈତିତିକ ଯାତ୍ରାରେ ସେ ଅନ୍ୟାନ୍ୟ ପଦବୀରେ ମଧ୍ୟ କାର୍ଯ୍ୟ କରିଥିଲେ।
୧୯୭୦ରେ ପ୍ରଥମ ଥର ପୁଥୁପାଲ୍ଲି ଆସନରୁ ନିର୍ବାଚନରେ ଜିତି ଓମେନ ଚାଣ୍ଡି କେରଳ ବିଧାନସଭାରେ ପହଞ୍ଚିଥିଲେ। ୫୦ ବର୍ଷ ପର୍ଯ୍ୟନ୍ତ ଗୋଟିଏ ବି ନିର୍ବାଚନରେ ହାରି ନ ଥିଲେ। ସେ ୨୦୨୧ରେ ତାଙ୍କର ଶେଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ୨୬ବର୍ଷ ବୟସରେ ତାଙ୍କର ପ୍ରଥମ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଚାଣ୍ଡି ୧୯୭୦, ୧୯୭୭, ୧୯୮୦, ୧୯୮୨, ୧୯୮୭, ୧୯୯୧, ୧୯୯୬, ୨୦୦୧, ୨୦୦୬, ୨୦୧୧, ୨୦୧୬ ଏବଂ ୨୦୨୧ରେ ପୁଥୁପାଲ୍ଲିରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ଓମେନ ଚାଣ୍ଡି ଦୁଇଥର କେରଳର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ସେ ୨୦୦୪ରୁ ୨୦୦୬ ଏବଂ ୨୦୧୧ ରୁ ୨୦୧୬ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ବ୍ୟତୀତ ୨୦୦୬ ରୁ ୨୦୧୧ ପର୍ଯ୍ୟନ୍ତ ଓମାନ କେରଳ ବିଧାନସଭାରେ ବିରୋଧୀ ଦଳର ନେତା ଥିଲେ।
ଓମେନ ଚାଣ୍ଡି ଅକ୍ଟୋବର ୧୩, ୧୯୪୩ରେ କେରଳର କୋଟାୟାମ ଜିଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ କେଓ ଚାଣ୍ଡି ଏବଂ ମାତାଙ୍କ ନାମ ବେବି ଚାଣ୍ଡ।ସେ କଲେଜ ସମୟରୁ ରାଜନୀତିରେ ବହୁତ ସକ୍ରିୟ ଥିଲେ। ସେ ସିଏମଏସ କଲେଜରୁ ବିଏ ଅଧ୍ୟୟନ ସମୟରେ ରାଜନୈତିକ କାର୍ଯ୍ୟକଳାପରେ ନିଜକୁ ସାମିଲ କରିଥିଲେ। ଓମାନ ମଧ୍ୟ ସରକାରୀ ଆଇନ ମହାବିଦ୍ୟାଳୟ, ଏର୍ନାକୁଲମରୁ ଆଇନ ଅଧ୍ୟୟନ କରିଥିଲେ।

Share