ଆସିଲା କୁବେର କନଷ୍ଟେବଳଙ୍କ ଆୟ ବହିର୍ଭୂତ ସମ୍ପତ୍ତି ତାଲିକା: ଠାବ ହେଲାଣି ୬ କୋଟି ୯୭ ଲକ୍ଷରୁ ଅଧିକ ସମ୍ପତ୍ତି

ଭୁବନେଶ୍ୱର,୧।୧୧(ବ୍ୟୁରୋ): ବହିଷ୍କୃତ କୋଟିପତି କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ତାଲିକା ସୋମବାର ଭିଜିଲାନ୍ସ ଜାରି କରିଛି । ପ୍ରସନ୍ନ ୬ କୋଟି ୯୭ ଲକ୍ଷ ୧୫ ହଜାର ୫୭ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି । ଯାହାକି ନିଜ ଆୟଠାରୁ ୨୨୧ ପ୍ରତିଶତ ଅଧିକ । ଏନେଇ ଭିଜିଲାନ୍ସ ୧୩ (୨), ୧୩ (A) (B), ୧୨ ପିସି ଆକ୍ଟରେ ମାମଲା ରୁଜୁ କରିଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା । ସରକାରୀ ବାସଭବନ, ଭୁବନେଶ୍ବର ଡୁମୁଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର ଦୋକାନ, ପାତ୍ରପଡା ସ୍ଥିତ ସାଉଥ ସିଟି ବାର, ଲିଙ୍ଗିପୁର ସ୍ଥିତ ସ୍ପାର୍କ ଫର୍ଣ୍ଣିଚର ୱାର୍କସପ ଓ ଖୋର୍ଦ୍ଧାରେ ଥିବା ଦୁଇ ମହଲା ଘର ଉପରେ ଭିଜିଲାନ୍ସ ଚଢାଉ କରିଥିଲା । ଏହି ଚଢାଉ ବେଳେ ୨ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟରଙ୍କ ସମେତ ଭିଜିଲାନ୍ସର ୫ଟି ଟିମ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ କନଷ୍ଟେବଳଙ୍କ ଅଚଳାଚଳ ସମ୍ପତ୍ତି ଠାବ ହୋଇଥିଲା ।