Posted inଫୁରସତ

କେବଳ ସତ ଉପଦେଶକଙ୍କୁ ମାନିବା ଜରୁରୀ

କେଉଁ ଏକ ପୁରାତନ କାଳରୁ ସଂଖ୍ୟାଗରିଷ୍ଠତାର ରାୟକୁ ଆଇନ ବା ଧର୍ମର ଜୟ ବୋଲି ମନାଯାଉଥିଲା ବେଳେ ଅଧୁନା ସାମାଜିକ ଜୀବନରେ ଏମିତି କିଛି ଘଟଣା ବା ଦୁର୍ଘଟଣା ଘଟୁଛି, ଯାହାକୁ ନେଇ ସାଧାରଣ ଲୋକଟିର ମନରେ ସନ୍ଦେହର ସୂର୍ଯ୍ୟ ଉଙ୍କି ମାରୁଛି ଯେ ସଂଖ୍ୟାଗରିଷ୍ଠତାର ସିଦ୍ଧାନ୍ତ ପ୍ରକୃତରେ ନ୍ୟାୟିକ ନିଷ୍ପତ୍ତି ନା ଦୁର୍ବଳମାନଙ୍କ ଉପରେ ହୁକୁମାତି ଦେଖାଇ ନିଜସ୍ବ କୁତ୍ସିତ ସ୍ବାର୍ଥ ସାଧନ କରିବାର ଏକ ସୁବର୍ଣ୍ଣ ସୁଯୋଗ ନା ସଂଖ୍ୟାଳ୍ପମାନଙ୍କ ମତକୁ ଚାପି ଦେଇ ଏକ ପୈଶାଚିକ ଆନନ୍ଦରେ ମସ୍‌ଗୁଲ ହେବାର ଦୁନିର୍ବାର ପ୍ରୟାସ??? ନିର୍ବାଚନ ହେଉ ବା ସର୍ବସାଧାରଣରେ କୌଣସି ଏକ କାର୍ଯ୍ୟ କରିବା ହେଉ – ଏ ସବୁ କ୍ଷେତ୍ରରେ ସଂଖ୍ୟାଗରିଷ୍ଠତାର ମତ ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ । ସଂଖ୍ୟାଗରିଷ୍ଠତା ବହୁ ସମୟରେ ଅନେକ ଅଡୁଆ ସୂତାକୁ ଠିକ୍‌ କରିବାରେ ସହାୟକ ମଧ୍ୟ ହୋଇଥାଏ। କିନ୍ତୁ ଏ କଥାଟି ସବୁବେଳେ ଠିକ୍‌ ସାବ୍ୟସ୍ତ ହୋଇ ନ ପାରେ । କଲୋନୀରେ ଭୋଟ ହେବ – ଏ ବର୍ଷ ଯଜ୍ଞରେ ଯାତ୍ରାପାର୍ଟି ପକାଇବା ନା ପ୍ରବଚନ କରିବା? ଏବେର ସମୟ ଆଉ ପରିସ୍ଥିତି ଯାହା, ନବେ ପ୍ରତିଶତ ଭୋଟ ଆସିବ ଯାତ୍ରା ସପକ୍ଷରେ । ବିଶେଷକରି
ଅଦୂରଦର୍ଶୀ ଗୁଡ଼ିଏ ଯୁବକ ଯାତ୍ରା ନାଁ ଶୁଣୁ ଶୁଣୁ ଆଗକୁ ଡେଇଁ ପଡ଼ିବେ । ଏମାନଙ୍କ ବହୁ ମତ ସାମ୍‌ନାରେ ନିଷ୍ପ୍ରଭ ହୋଇଯାଏ ଯଜ୍ଞ ପରି ପବିତ୍ର କାର୍ଯ୍ୟ ସମୟରେ ପ୍ରବଚନ ବା ପାଲା ପରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ଆଶା ବାନ୍ଧିଥିବା ବାକି ଦଶ ପ୍ରତିଶତ ଭଦ୍ର ଲୋକଙ୍କ ସ୍ବର ଆଉ ସ୍ବାକ୍ଷର l କ’ଣ ନା ମେଜେରିଟି ଯୁଆଡେ ଗଲାନା ।
ସଂଖ୍ୟାଗରିଷ୍ଠତା ଯେ କେବଳ ସମସ୍ୟା ସମାଧାନରେ ସହାୟକ ହୁଏ ତା’ ନୁହେଁ, ବେଳେ ବେଳେ ଏହା ଅବାଞ୍ଛିତ ଅହଂକାରକୁ ବି ଆମନ୍ତ୍ରଣ କରେ ।
ସଂଖ୍ୟାଗରିଷ୍ଠତାରେ ବିଭୋର ବ୍ୟକ୍ତି, ଅନୁଷ୍ଠାନ ବା ଗୋଷ୍ଠୀ ଧୀରେ ଧୀରେ ନିଜ ଅଜାଣତରେ ଅନ୍ୟାୟ ଆଉ ଅନୀତିର ଇଲାକା ଭିତରକୁ ଧସେଇ ପଶିଯାନ୍ତି । କାରଣ ଆକଟ କରିବାକୁ, ଅଟକାଇବାକୁ ବା ବିରୋଧ କରିବାକୁ କେହି ତ ସବଳ ପ୍ରତିପକ୍ଷ ନ ଥାନ୍ତି ନା । ଯଦି ବି କେହି ଥାନ୍ତି, ତେବେ ଗରିଷ୍ଠତାର ଅହମିକାରେ ଅନ୍ୟର ପରାମର୍ଶ, ବିରୋଧ ବା ଉପଦେଶଗୁଡିକୁ ‘ଦୁର୍ବଳର ଆତ୍ମ ଚିତ୍କାର ’ ବୋଲି ମନେକରି ଗରିଷ୍ଠତାବାଦୀମାନେ ଗୋଟିଏ ପରେ ଗୋଟିଏ ଧର୍ମର ଶିକୁଳିକୁ ଦଳି ମକଚି ଛିଣ୍ଡାଇ ପକାଇ ବେଶ୍‌ ଦ୍ରୁତ ଗତିରେ ଆଗୁସାର ହୋଇପଡ଼ନ୍ତି। ଅନ୍ୟାୟକୁ ନ୍ୟାୟର ରଙ୍ଗ ଦେଇ, ଅନୀତିକୁ ନୀତିର ଖୋଳପା ପିନ୍ଧାଇ, କୁକର୍ମକୁ ସୁକର୍ମର ଆଖ୍ୟା ଦେଇ ନିଜ ପୌରୁଷତ୍ୱକୁ ପ୍ରକଟ କରାଇ ଏକ ପୈଶାଚିକ ଆନନ୍ଦରେ ବିଭୋର ହୋଇପଡ଼ନ୍ତି l ନିଜେ କରୁଥିବା ସମସ୍ତ କାର୍ଯ୍ୟକୁ ଶତ ପ୍ରତିଶତ ଠିକ୍‌ ବୋଲି ଭାବି ପରମ ଆହ୍ଲାଦରେ ବାଟ ଚାଲୁଥାନ୍ତି l ସଂଖ୍ୟାଗରିଷ୍ଠତାର ଅହଂରେ ଅନ୍ଧ ହୋଇ ନିଜକୁ ‘ମୁଁ ହିଁ ସମୟର କର୍ତ୍ତା ’, ‘ଆମେ ଯାହା କହିବୁ ତାହା ହିଁ ହେବ’ ଭାବନାରେ ବାଟ ଚାଲୁଥିବା ଜୀବ ସେ ଶାସକ ହେଉ ବା ପ୍ରଶାସକ, ଅନୁଷ୍ଠାନର ସଭାପତି ହେଉ ବା ଗାଁ ମୁଖିଆ – ସଭିଏଁ ଏବେ ‘ସଂଖ୍ୟାଗରିଷ୍ଠତା’କୁ ନିଜର ହସ୍ତ ମୁଦି ମାହାଲ ବୋଲି ଭାବିସାରିଲେଣି, ଯାହା ସମାଜ ପାଇଁ ଆଦୌ ଶୁଭ ଲକ୍ଷଣର ଦ୍ୟୋତକ ନୁହେଁ l ଅହଂକାର ବିଜଡିତ ବା ସଂକୀର୍ଣ୍ଣ ସ୍ବାର୍ଥ ସମ୍ବଳିତ ‘ସଂଖ୍ୟାଗରିଷ୍ଠତା’ର ନିଷ୍ପତ୍ତି ଯେ କେତେ ଭୟଙ୍କର ତାହା ଆଜିକାଲି ବିଭିନ୍ନ ଜାଗାରେ ବସୁଥିବା ‘ କଙ୍ଗାରୁ କୋର୍ଟ ’ ଦ୍ୱାରା ସହଜରେ ଅନୁମେୟ l
କିଛି ସମୟ ପାଇଁ ସମୟକୁ ଭୁଲିଯାଉଥିବା ଏହି ଗରିଷ୍ଠତାବାଦୀମାନେ ଥରେ ବି ଗୀତା, ଭାଗବତ ବା ମହାଭାରତର ପ୍ରସଙ୍ଗଗୁଡ଼ିକୁ ନିଜ ଖିଆଲକୁ ଆଣିପାରନ୍ତି ନାହିଁ l ମହାଭାରତର ପୃଷ୍ଠା ଓଲଟାନ୍ତୁ l ଯୁଦ୍ଧ କାହିଁକି ହେଲା? କ’ଣ ଥିଲା ଏହାର ମୂଳ କାରଣ?? କାରଣ ହେଉଛି ଗୋଟିଏ l ସଂଖ୍ୟା ଗରିଷ୍ଠତାର ଅହଂକାର l ଦୁର୍ଯ୍ୟୋଧନର ମନରେ ଥିଲା ସଂଖ୍ୟାଗରିଷ୍ଠତାର ଅନେକ ଭୂତ l
ପ୍ରଥମ ଭୂତ – ପାଣ୍ଡବ ହେଉଛନ୍ତି ମାତ୍ର ପାଞ୍ଚ l ଆମେ ହେଲୁ ସଂଖ୍ୟାରେ ଶହେ l ପାଞ୍ଚ କ’ଣ କେବେ ଶହେକୁ ପରାଜିତ କରିପାରେ? ଶହେ ବିକଟାଳ ସ୍ବର ସମ୍ମୁଖରେ ସରଳ ପାଞ୍ଚ ସ୍ବରର ଗର୍ଜନ କେତେ ସମୟ ପର୍ଯ୍ୟନ୍ତ ତିଷ୍ଠିରହିବ ଯେ? ସୁତରାଂ ଆମେ ଯାହା କହିବୁ ସେୟା । ମେଜେରିଟି ଇଜ୍‌ ଗ୍ରାଣ୍ଟେଡ ।
କେବଳ ସେତିକି ନୁହେଁ, ସୈନ୍ୟ ସଂଖ୍ୟାର ଗରିଷ୍ଠତାର ଦ୍ୱିତୀୟ ଭୂତ ବି ଦୁର୍ଯ୍ୟୋଧନ ମନରେ ସାର ହୋଇ ରହିଥିଲା, ଯାହା ତାହାର ଅହଂକାରକୁ ଶତଗୁଣିତ କରି ଗଢ଼ିତୋଳୁଥିଲା l ପାଣ୍ଡବଙ୍କର ମାତ୍ର ସାତ ଅକ୍ଷହିଣୀ ସୈନ୍ୟ, କିନ୍ତୁ ଆମର ଏଗାର । ଯୁଦ୍ଧରେ ସୈନ୍ୟ ସଂଖ୍ୟାର ଆଧିକ୍ୟ ହିଁ ଅନେକ ସମୟରେ ବିଜୟ ବୈଜୟନ୍ତୀ ଉଡ଼ାଇବାର ସାମର୍ଥ୍ୟ ରଖିଥାଏ l ସାତ କ’ଣ କେବେ ଏଗାରକୁ ଆଖି ଟେକି ଅନାଇପାରେ? ଅସମ୍ଭବ l ନିହାତି ଅସମ୍ଭବ l
ଗରିଷ୍ଠତାର ଯେଉଁ ତୃତୀୟ ଭୂତଟି ଦୁର୍ଯ୍ୟୋଧନକୁ ବେଶ୍‌ ଆହ୍ଲାଦିତ କରୁଥିଲା ତାହା ଥିଲା ଓଜନଦାର ବ୍ୟକ୍ତିତ୍ୱମାନଙ୍କ ଉପସ୍ଥିତି l ଦୁର୍ଯ୍ୟୋଧନ ପକ୍ଷରେ ଥିଲେ ମହାରଥୀ ଭୀଷ୍ମ, ଶାସ୍ତ୍ରବିଦ୍ୟା ପାରଙ୍ଗମ ଗୁରୁ ଦ୍ରୋଣ , ଏକାଙ୍ଗ ଚକ୍ରବର୍ତ୍ତୀ ମହାବୀର କର୍ଣ୍ଣ l କେବଳ ଅର୍ଜୁନକୁ ଛାଡ଼ିଦେଲେ ଆଉ କିଏ ଏମିତିଆ ଯୋଦ୍ଧା ଥିଲେ କି ପାଣ୍ଡବ ପକ୍ଷରେ? ଏଥିରେ ଦୁର୍ଯ୍ୟୋଧନ ଅହଂକାରୀ ନ ହେବ ବା କେମିତି? ସାମାନ୍ୟ ଦାସୀ ପ୍ରତି ପୂର୍ବରୁ କେହି କୁଦୃଷ୍ଟି ପକାଇବାର ଉଦାହରଣ ନ ଥିବା ହସ୍ତିନାପୁରରେ ଦୁର୍ଯ୍ୟୋଧନ କେବଳ ସଂଖ୍ୟାଗରିଷ୍ଠତାର ମଦତ୍ତରେ ସେଦିନ ଭାରି ସଭାରେ ଯାଜ୍ଞସେନୀଙ୍କୁ ଦୁଃଶାସନ ଦ୍ୱାରା ବିବସ୍ତ୍ର କରାଇବାର ଦୁଃସାହସ ଜୁଟାଇ ପାରିଥିଲା, ଯାହା ଅଦ୍ୟାବଧି ସଂଖ୍ୟାଗରିଷ୍ଠତା ଦ୍ୱାରା କରାଯାଉଥିବା ପାପର ସର୍ବୋଚ୍ଚ ସୀମାକୁ ଅତିକ୍ରମ କରିଯାଇଥିବାର ମନେହୁଏ l
ସଂଖ୍ୟାଗରିଷ୍ଠତାର ପୋତରେ ସାରଥି ହୋଇ ବାଟ ଚାଲୁଥିବା ଅଦୂରଦର୍ଶୀ ଏବଂ ଅହଂକାରୀ ବ୍ୟକ୍ତିମାନେ ମହାଭାରତର ଶେଷ ଚିତ୍ରକୁ ମନରୁ ପାସୋରି ନ ଯାଆନ୍ତୁ l ଯାହାଙ୍କୁ ନେଇ ଯୁଦ୍ଧର ଉତ୍ପତ୍ତି, ସେଇ ଦୁର୍ଯ୍ୟୋଧନର ଦଶା ଶେଷରେ କ’ଣ ହୋଇଛି ତାହା କାହାକୁ ଅଛପା ନାହିଁ l
ସରୋବର କୂଳରେ ଭୀମର ପ୍ରଚଣ୍ଡ ଗଦାଘାତରେ ଜୀବନ ଯୁଦ୍ଧର ଅନ୍ତିମ ଅତି କ୍ଷଣରେ ଅତି କଲବଲ ଅବସ୍ଥାରେ ପ୍ରାଣ ତ୍ୟାଗ କରିବା ଗରିଷ୍ଠତାବାଦୀ କେବଳ ଅହଂକାରୀ ଦୁର୍ଯ୍ୟୋଧନମାନଙ୍କ ଜୀବନରେ ହିଁ ଘଟିଥାଏ ।
ଭଲ ଥିବା ସମୟ ଯେତେବେଳେ କଡ଼ ଲେଉଟାଏ ସେତେବେଳେ ସମାପ୍ତ ହୋଇଯାଏ ସଂଖ୍ୟା ଖେଳର ଶିଡ଼ିରେ ଉପରକୁ ଉଠି ସମାଜକୁ ହେୟ ମନେକରୁଥିବା ଗରିଷ୍ଠତାବାଦୀଙ୍କ ଯାତ୍ରା l ତଳକୁ ଖସିବାର ପର୍ବ ତତ୍‌କ୍ଷଣାତ ଆରମ୍ଭ ହୋଇଯାଏ । ଭବିଷ୍ୟତରେ ଆସୁଥିବା ଏଇ ସମୟକୁ ଏ ଧରଣର ଅହଂକାରୀ ବ୍ୟକ୍ତିମାନଙ୍କୁ ଏବେଠୁ ଟିକେ ହେଜେଇଦେବା ହିଁ ଏ ପ୍ରବନ୍ଧର ଉଦ୍ଦେଶ୍ୟ । ସେମାନେ ଜାଣି ରଖିବା ଉଚିତ ଯେ, କ୍ଷମତା ବା ମୁଖିଆ ପଦବୀର ଡୋରି ହାତରୁ ଚାଲିଗଲା ପରେ ଇତିହାସକାରଙ୍କ କଲମ ମୋତେ କେଉଁ ଚରିତ୍ରରେ ଚିତ୍ରିତ କରିବ? ଠିକ୍‌ କଂସ, ରାବଣ, ଦୁର୍ଯ୍ୟୋଧନ ପରି ନା ଗାନ୍ଧୀ, ଗୋପବନ୍ଧୁ, ବୋଷଙ୍କ ପରି?
ଅହଂକାରୀ ପ୍ରତ୍ୟେକ ଗରିଷ୍ଠତାବାଦୀ ଆଉ ଗୋଟିଏ କଥାକୁ ମନେ ରଖିବା ଦରକାର ଯେ ସେମାନଙ୍କ ଚିରସ୍ଥାୟୀ କୀର୍ତ୍ତି ନିର୍ଭର କରେ ନିଜ ପାଖରେ ଥିବା ଉପଦେଶକମାନଙ୍କ ସଂସ୍କାର ଏବଂ ସାଧୁତା ଉପରେ l ଶକୁନି ପରି ଶଠ ଚରିତ୍ରର ବ୍ୟକ୍ତି ଯଦି ଉପଦେଷ୍ଟା ସାଜନ୍ତି ତେବେ ବଂଶ ନାଶ ହେବା ଥୟ l ଅପଯଶରେ ଆକ୍ରାନ୍ତ ହେବା ନିଶ୍ଚିତ l କପଟୀ ଶକୁନି ନୁହେଁ, କୂଟଜ୍ଞ ଶ୍ରୀକୃଷ୍ଣ ବା ଦରକାର ପଡ଼ିଲେ ଗୋଷ୍ଠୀରେ ଥାଇ ବି କଟୁ ଉପଦେଶ ଦେବାକୁ ପଛଘୁଞ୍ଚା ଦେଉ ନ ଥିବା ବିଦୂରମାନଙ୍କ ପରି ଉପଦେଶକଙ୍କ ଉପଦେଶ ଗ୍ରହଣ କରିବାରେ ହିଁ ଅହଂପୂର୍ଣ୍ଣ ଗରିଷ୍ଠତାବାଦୀଙ୍କ ମଙ୍ଗଳ ନିହିତ ଥାଏ l ନଚେତ ସଂଖ୍ୟାଗରିଷ୍ଠତାରେ ମଦମତ୍ତ ଥିବା ସଗର ରାଜାଙ୍କ ଶତ ପୁତ୍ର ଯେଭଳି କପିଳ ମୁନିଙ୍କ ଅଭିଶାପକୁ ଆମନ୍ତ୍ରଣ କରି ପାଉଁଶରେ ପରିଣତ ହୋଇଥିଲେ,ଦିନ ଆସିବ ଅହଂକାରୀ ଗରିଷ୍ଠତାବାଦୀଙ୍କ ସକଳ ଔଦ୍ଧତ୍ୟ ସେପରି ଯେ ମାଟିରେ ମିଶି ନ ଯିବ, ଏ କଥା କେବଳ ସମୟ ହିଁ କହିବ l ସୁତରାଂ ଅପେକ୍ଷା କେବଳ ସମୟକୁ l ହଁ, କେବଳ ସମୟକୁ l
-ପ୍ରିନ୍‌ସିପାଲ, ଆପେକ୍ସ ଆଇ. ଟି. ଆଇ,
ପତ୍ରକଣା, କସର୍ଦା, କଟକ
ମୋ -୯୪୩୭୨୯୨୬୯୯

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri