Categories: ଜାତୀୟ

ଜୟ ହିନ୍ଦ୍‌ କହିବା ଅବା ଜନ ଗଣ ମନ ଗାନ କରିବା ନୁହେଁ ରାଷ୍ଟ୍ରବାଦ: ଉପରାଷ୍ଟ୍ରପତି

ହାଇଦ୍ରାବାଦ୍‌,୨୪।୧: କେବଳ ଜୟ ହିନ୍ଦ୍‌ କହିବା ଅବା ଜନ ଗଣ ମନ ଗାନ କରିବା ରାଷ୍ଟ୍ରବାଦ ନୁହେଁ। ଦେଶର ସମସ୍ତ ଜନତାଙ୍କ ସୁଖ ସୁବିଧା ପ୍ରତି ଧ୍ୟାନ ଦେବା, କୌଣସି ଭେଦଭାବ ନ କରିବା ହିଁ ପ୍ରକୃତ ଜୟ ହିନ୍ଦ୍‌। ସେହିପରି ଦେଶରେ ଧାର୍ମିକ ଅସହିଷ୍ଣୁତା ଲୋପ ପାଇବା ଆବଶ୍ୟକ। ଅନ୍ୟ ଧର୍ମାବଲମ୍ବୀଙ୍କୁ ଭାବନାକୁ ସମ୍ମାନ ଜଣାଇବା ଦ୍ୱାରା ହିଁ ନିଜର ପ୍ରତ୍ୟେକ ଧର୍ମ ପାଳନ କରିବା ଉଚିତ ବୋଲି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ତେଲଙ୍ଗାନାର ହାଇଦ୍ରାବାଦ୍‌ଠାରେ ଥିବା ରାଜ୍ୟ ସରକାରଙ୍କ ଏମ୍‌ସିଆର୍‌ ମାନବ ସମ୍ବଳ ବିକାଶ ସଂସ୍ଥାନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି। ରାଷ୍ଟ୍ର କୌଣସି ଭୌଗୋଳିକ ସୀମା ମଧ୍ୟରେ ଆବଦ୍ଧ ନୁହେଁ। ସମଗ୍ର ପୃଥିବୀ ଏକ ବଡ଼ ପରିବାର। ଏହି ସିନ୍ଧାନ୍ତ ଭାରତୀୟ ସଂସ୍କୃତିର ମୂଳ ଆଧାର। ଜଣେ ବ୍ୟକ୍ତି ହୁଏତ କୌଣସି ଉଚ୍ଚ ବିଚାର ପାଇଁ ପ୍ରାଣବଳୀ ଦେଇ ପାରନ୍ତି। ମାତ୍ର ତାଙ୍କ ପରେ ଏହି ବିଚାର କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଥାଏ ବୋଲି ସେ କହିଛନ୍ତି। ଏଭଳି ଉଦାହରଣ ନେତାଜୀଙ୍କ ବିଚାର ଧାରା ମାଧ୍ୟମରେ ସୃଷ୍ଟି ହୋଇଥିବା ଉପରାଷ୍ଟ୍ରପତି ପ୍ରକାଶ କରିଛନ୍ତି।

Share