Categories: ଖେଳ

‘କେବଳ ମୋଦି ଚାହିଁଲେ ହେବ ସମ୍ଭବ’

ନୂଆଦିଲ୍ଲୀ,୨୨।୩: ୨୦୨୩ ଦିନିକିଆ ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଭାରତ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି। ଭାରତ ସହ ଅନେକ ଦଳ ଟାଇଟଲ ପାଇଁ ଦୃଢ ପ୍ରତିଯୋଗୀ। ସେଥିମଧ୍ୟରୁ ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ କ୍ରିକେଟ ଦଳ ଟାଇଟଲ ଆଶାୟୀ। ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଭବିଷ୍ୟବାଣୀ କରିଛନ୍ତି ଯେ, ଦିନିକିଆ ବିଶ୍ୱକପରେ ଭାରତ ବନାମ ପାକିସ୍ତାନ ଫାଇନାଲ ହୋଇପାରେ। ପାକିସ୍ତାନ ୨୦୧୧ ପ୍ରତିଶୋଧ ନେବାକୁ ଚାହୁଁଛି।
୨୦୧୧ ଦିନିକିଆ ବିଶ୍ୱକପ ମଧ୍ୟ ଭାରତରେ ଖେଳାଯାଇଥିଲା। ଭାରତୀୟ କ୍ରିକେଟ ଦଳ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା। ତେବେ ଏହା ପୂର୍ବରୁ ଟିମ ଇଣ୍ଡିଆ ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଥିଲା। ଏଥର ଅଖତର ଚାହୁଁଛନ୍ତି, ଫାଇନାଲରେ ଭାରତକୁ ପରାସ୍ତ କରି ବାବର ଟ୍ରଫି ଉଠାନ୍ତୁ।
ଏସିଆ କପ ବିବାଦ ବିଷୟରେ ଅଖତରଙ୍କୁ ପଚରାଯିବାରୁ ସେ କହିଛନ୍ତି, କେବଳ ଦୁଇ ଦେଶର ସରକାର ସ୍ଥିର କରିପାରିବେ। ଯଦି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସବୁଜ ସଙ୍କେତ ଦିଅନ୍ତି, ତେବେ ଭାରତ ପାକିସ୍ତାନ ଆସିବ। ଏଥିରେ ନିଷ୍ପତ୍ତି ନେବାକୁ ବିସିସିଆଇ କିଏ? ବିସିସିଆଇ ଭାରତ ସରକାରଙ୍କୁ ନ ପଚାରି କିଛି କରିପାରିବ ନାହିଁ। ଆମ ବୋର୍ଡ ମଧ୍ୟ ଆମ ସରକାରଙ୍କ ପରାମର୍ଶ ବିନା କିଛି କରିପାରିବ ନାହିଁ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଖେଳାଯିବାକୁ ଥିବା ଏସିଆ କପ ଟୁର୍ନାମେଣ୍ଟ ପାକିସ୍ତାନରେ ଆୟୋଜିତ ହେଉଛି। କିନ୍ତୁ ଭାରତୀୟ ଦଳ ଏସିଆ କପ ୨୦୨୩ ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)ର ସେକ୍ରେଟାରି ଜୟ ଶାହା ସ୍ପଷ୍ଟ କରିସାରିଛନ୍ତି। ବିସିସିଆଇର ଏହି ମନୋଭାବ ପରେ ଏସିଆ କପ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇପାରେ। ତେବେ ପିସିବି ନିଜେ ପାକିସ୍ତାନରେ ଏସିଆ କପ ଆୟୋଜନ କରିବାକୁ ଜିଦ ଧରିଛି।

Share