Categories: ଜାତୀୟ

କେବଳ ଏକ ଫୋନ୍‌ କଲ୍‌ର ଦୂରତା

ନୂଆଦିଲ୍ଲୀ,୩୧ା୧(ପି.ଟି.): ୩ ନୂଆ କୃଷି ଆଇନକୁ ନେଇ କୃଷକ ସଙ୍ଗଠନଗୁଡ଼ିକ ସହ ଆଲୋଚନା ପାଇଁ ସରକାର ଏବେ ମଧ୍ୟ ପ୍ରସ୍ତୁତ। ଆମେ କେବଳ ଚାଷୀ ନେତାଙ୍କ ଗୋଟିଏ ଫୋନ୍‌ କଲ୍‌ ଦୂରରେ ରହିଛୁ ବୋଲି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି। କୃଷକ ଆନ୍ଦୋଳନ ୬୮ ଦିନରେ ପହଞ୍ଚତ୍ ଅଚଳାବସ୍ଥା ଲାଗିରହିଥିବାବେଳେ ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ପାର୍ଲାମେଣ୍ଟରେ କେନ୍ଦ୍ରକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ତେଣୁ ସର୍ବଦଳୀୟ ବୈଠକରେ ମୋଦି ଏଭଳି ନରମ ଆଭିମୁଖ୍ୟ ଦେଖାଇଥିବା କୁହାଯାଉଛି।
ପାର୍ଲାମେଣ୍ଟର ବଜେଟ ଅଧିବେଶନ ପରିପ୍ରେକ୍ଷୀରେ ସବୁ ରାଜନୈତିକ ଦଳର ସହଯୋଗ ଲୋଡ଼ିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ଭର୍ଚୁଆଲ୍‌ ବୈଠକକୁ ସମ୍ବୋଧିତ କରି ମୋଦି କହିଛନ୍ତି, ଆନ୍ଦୋଳନରତ କୃଷକମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ସରକାର ନିରନ୍ତର ଉଦ୍ୟମ ଚଳାଇଛନ୍ତି। କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆନ୍ଦୋଳନ କରୁଥିବା କୃଷକମାନଙ୍କ କେବଳ ଏକ ଫୋନ୍‌ କଲ୍‌ ଦୂରତାରେ ଅଛନ୍ତି। ତୋମାର ଏହି ବିଷୟରେ ସେମାନଙ୍କୁ ନିକଟରେ ଅବଗତ କରାଇଥିଲେ ବୋଲି ମୋଦି କହିଥିବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜୋଷୀ କହିଛନ୍ତି, କୃଷକଙ୍କ ସମସ୍ୟାର ସମାଧାନ ପାଇଁ ସରକାର ଖୋଲାମନରେ ଉଦ୍ୟମ କରୁଛନ୍ତି। ତେଣୁ ଜାନୁୟାରୀ ୨୨ ବୈଠକରେ ଆମର ଯାହା ଆଭିମୁଖ୍ୟ ଥିଲା ଆଜି ମଧ୍ୟ ତାହା ରହିଛି। ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସା ପ୍ରସଙ୍ଗରେ ଆଇନ ତା’ ବାଟରେ ଯିବ ବୋଲି ମୋଦି ଦୋହରାଇଥିଲେ। ସର୍ବଦଳୀୟ ବୈଠକରେ ବିଭିନ୍ନ ଦଳର ନେତାମାନେ ସେମାନଙ୍କ ପ୍ରସ୍ତାବିତ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ଶୁକ୍ରବାର ହୋଇଥିବା ବୈଠକରେ କଂଗ୍ରେସର ଗୁଲାମନବୀ ଆଜାଦ, ତୃଣମୂଳ କଂଗ୍ରେସର ସୁଦୀପ ବନ୍ଦୋପାଧ୍ୟାୟ, ଶିରୋମଣି ଅକାଳୀ ଦଳର ବଲଓ୍ବିନ୍ଦର ସିଂ ଭୂଣ୍ଡେର ଓ ଶିବସେନାର ବିନାୟକ ରାଉତ ବିକ୍ଷୋଭରତ କୃଷକଙ୍କ ପ୍ରସଙ୍ଗ ଉଠାଇଥିଲେ। କୃଷକମାନଙ୍କୁ ସରକାର ନିଜ ଶତ୍ରୁ ଭଳି ଦେଖନ୍ତୁ ନାହିଁ ବୋଲି ସେମାନେ କହିଥିଲେ। ଅଧିକାଂଶ ବିରୋଧୀ ନେତା କୃଷି ଆଇନ ପ୍ରସଙ୍ଗରେ ପାର୍ଲାମେଣ୍ଟର ଉଭୟ ସଦନରେ ବିତର୍କ ହେଉ ବୋଲି ଦାବି କରିଥିଲେ।
ପ୍ରକାଶ ଯେ, ବିବାଦୀୟ ୩ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ କୃଷକ ସଙ୍ଗଠନଗୁଡ଼ିକ ନଭେମ୍ବର ୨୬ରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି। ଅଚଳାବସ୍ଥା ଦୂର ପାଇଁ କେନ୍ଦ୍ର ସରକାର ଓ କୃଷକ ପ୍ରତିନିଧିଙ୍କ ମଧ୍ୟରେ ୧୧ଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ସେଥିରୁ କିଛି ସୁଫଳ ମିଳିପାରି ନାହିଁ। ଶେଷ ବୈଠକ ଜାନୁୟାରୀ ୨୨ରେ ହୋଇଥିଲା। ଏହାର ପୂର୍ବ ବୈଠକରେ ସରକାର ଉକ୍ତ ଆଇନର କାର୍ଯ୍ୟକାରିତାକୁ ୧୨-୧୮ ମାସ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଚାଷୀ ନେତାମାନଙ୍କୁ ପ୍ରସ୍ତାବ ଦେଇଥିଲେ। ତେବେ କୃଷି ଆଇନକୁ ସମ୍ପୂର୍ଣ୍ଣ ଭାବେ ହଟାଯାଉ ବୋଲି କୃଷକ ପ୍ରତିନିଧିମାନେ ନିଜ ଦାବିରେ ଅଡ଼ିବସିଥିଲେ।

Share