Categories: ଜାତୀୟ

ଆଇଭିଏଫ୍‌ ଶିଶୁ ଉପରେ କେବଳ ମା’ଙ୍କର ଅଧିକାର, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

କୋଚି,୧୮।୮: କେରଳ ହାଇକୋର୍ଟରେ ଆଇଭିଏଫ୍‌ ଦ୍ୱାରା ଜନ୍ମ ହୋଇଥିବା ଶିଶୁ ମାମଲାର ଶୁଣାଣି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି। ହାଇକୋର୍ଟ କହିଛନ୍ତି ଯେ ଆଇଭିଏଫ୍‌ ମାଧ୍ୟମରେ ଜନ୍ମ ହୋଇଥିବା ଶିଶୁ ଉପରେ କେବଳ ମା’ଙ୍କର ହିଁ ଅଧିକାର ରହିବ। ଆଇଭିଏଫ୍‌ ମାଧ୍ୟମରେ ଜନ୍ମ ହୋଇଥିବା ଶିଶୁଙ୍କର ଜନ୍ମ-ମୃତ୍ୟୁ ପଞ୍ଜିକରଣ ପାଇଁ ପିତାଙ୍କ ବିଷୟରେ ସୂଚନା ମାଗିବା ଠିକ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। କୋର୍ଟ କହିଛନ୍ତି ଯେ ଆଇଭିଏଫ୍‌ ପରି ସହାୟକ ପ୍ରଜନନ ପ୍ରଯୁକ୍ତିବିଦ୍ୟା (ଏନ୍‌ଆର୍‌ଟି) ସହାୟତାରେ ମହିଳାଙ୍କୁ ଏକାକୀ ମାତା ଭାବରେ ମାନ୍ୟତା ଦିଆଯାଇଛି। ଏପରି ପରିସ୍ଥିତିରେ, ଯଦି ଆଇଭିଏଫ୍‌ ମାଧ୍ୟମରେ ଜନ୍ମ ହୋଇଥିବା ଶିଶୁଙ୍କର ପିତାଙ୍କ ବିଷୟରେ ସୂଚନା ଖୋଜାଯାଏ, ତେବେ ଏହା ମା’ ଏବଂ ତାଙ୍କ ସନ୍ତାନଙ୍କର ସମ୍ମାନ ଅଧିକାର ପ୍ରତି ଆଞ୍ଚ ଆଣିବା ସହିତ ଏହାକୁ ପ୍ରଭାବିତ କରିଥାଏ ବୋଲି କୋର୍ଟ କହିଛନ୍ତି। ଏପରି ପିଲାମାନଙ୍କ ପାଇଁ ରାଜ୍ୟ ପୃଥକ ଫର୍ମ ପ୍ରସ୍ତୁତ କରିବା ଆବଶ୍ୟକ। ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଆଇଭିଏଫ୍‌ ମାଧ୍ୟମରେ ଜନ୍ମ ହୋଇଥିବା ଶିଶୁମାନଙ୍କର ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ ପାଇଁ ରାଜ୍ୟ ସରକାର ପୃଥକ ଫର୍ମ ପ୍ରସ୍ତୁତ କରିବା ଗୁରୁତ୍ୱଦେସବା ଆବଶ୍ୟକ। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ କୌଣସି ମହିଳାଙ୍କର ଏକମାତ୍ର ମା ହେବାର ଅଧିକାର ରହିଛି। ଅବିବାହିତା ମହିଳାମାନେ ଏ.ଆର୍‌.ଟି. ପଦ୍ଧତିରୁ ମା ହେବାର ଅଧିକାରକୁ ସ୍ବୀକାର କରାଯାଇଛି। ଏହା ସତ୍ତ୍ୱେ ପିତାଙ୍କ ନାମ ବିଷୟରେ ସୂଚନା ଖୋଜିବାର କୌଣସି ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି। ଅଦାଲତ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏପରି କରିବା ଦ୍ୱାରା ମା’ ଏବଂ ତାଙ୍କ ସନ୍ତାନର ଗୋପନୀୟତା, ସ୍ବାଧୀନତା ଏବଂ ସମ୍ମାନର ଅଧିକାରର ଉଲ୍ଲଂଘନ ହେଉଛି।

ଛାଡପତ୍ର ହୋଇଥିବା ଜଣେ ମହିଳାଙ୍କ ଆବେଦନ ଉପରେ ହାଇକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ମହିଳା ଜଣକ ଆଇଭିଏଫ୍‌ ମାଧ୍ୟମରେ ଗର୍ଭଧାରଣ କରିବା ପରେ ଏକ ସନ୍ତାନ ଜନ୍ମ ଦେଇଥିଲେ। ଶିଶୁର ଜନ୍ମ ପ୍ରମାଣପତ୍ର ତିଆରି ସମୟରେ ପିତାଙ୍କ ନାମ ବିଷୟରେ ତାଙ୍କୁ ପଚରାଯାଇଥିଲା। ପ୍ରଥମେ ସେ ଏହାକୁ ଅସ୍ବୀକାର କରିଥିଲେ କିନ୍ତୁ ପରେ ମହିଳାଙ୍କୁ କୁହାଯାଇଥିଲା ଯେ କେରଳ ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ ନିୟମ ୧୯୭୦ ଅନୁଯାୟୀ ଏଭଳି ତଥ୍ୟ ବାଧ୍ୟତାମୂଳକ। ଏହା ପରେ ମହିଳା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମହିଳା କୋର୍ଟରେ କହିଛନ୍ତି ଯେ ସେ ପିତାଙ୍କ ନାମ ପ୍ରକାଶ କରିପାରିବେ ନାହିଁ। ଆଇଭିଏଫ ମାଧ୍ୟମରେ ଜନ୍ମ ହୋଇଥିବା ପିଲାମାନଙ୍କର ପିତାଙ୍କ ପରିଚୟ ଗୋପନୀୟ ରଖାଯାଏ। ମହିଳା ଏହା ମଧ୍ୟ କହିଛନ୍ତି ଯେ ଯଦି ତାଙ୍କୁ ଶିଶୁ ପିତାଙ୍କ ନାମ ବିଷୟରେ ପଚରାଯାଏ, ତେବେ ଏହାଦ୍ୱାରା ତାଙ୍କର ଗୋପନୀୟତା, ସ୍ବାଧୀନତା ଏବଂ ସମ୍ମାନ ଅଧିକାରର ଉଲ୍ଲଂଘନ କରାଯିବ।

Share