ନୂଆଦିଲ୍ଲୀ, ୨୪ା୧୧ (ପି.ଟି): ଦିଲ୍ଲୀ-ଏନ୍ସିଆରରେ ବାରମ୍ବାର ଦେଖାଦେଉଥିବା ବାୟୁ ପ୍ରଦୂଷଣ ସଙ୍କଟ ଉପରେ ଚିନ୍ତା ପ୍ରକଟ କରି ଜାତୀୟ ରାଜଧାନୀରେ କେବଳ ବିଏସ୍୬ ଯାନବାହନ ଚଳାଚଳ ପାଇଁ ଅନୁମତି ଦେବା ଉପରେ ବିଚାର କରାଯାଉଛି ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ବାୟୁ ପ୍ରଦୂଷଣ ସମ୍ପର୍କିତ ଏକ ମାମଲାର ଶୁଣାଣି ସମୟରେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ଭି. ମୋହନାଙ୍କ ଖଣ୍ଡପୀଠ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥାର ସମୀକ୍ଷା ପାଇଁ ନିଜ ଆଡୁ ରୁଜୁ କରିଥିବା ଏକ ମାମଲାର ଶୁଣାଣି କରୁଥିଲେ। ସୂଚନାଯୋଗ୍ୟ, ବିଏସ୍୬ ହେଉଛି ଭାରତରେ ନିର୍ମିତ, ବିକ୍ରି ଏବଂ ପଞ୍ଜୀକୃତ ହେଉଥିବା ସେହି ମୋଟର ଯାନ, ଯାହା ୧ ଏପ୍ରିଲ ୨୦୨୦ ରେ ଲାଗୁ ହୋଇଥିବା କଠୋର ପ୍ରଦୂଷଣ ନିର୍ଗମନ ମାନଦଣ୍ଡକୁ ପାଳନ କରେ। ଏଗୁଡ଼ିକ ୟୁରୋ-୬ ନିୟମ ସହ ସମାନ ଏବଂ ପୁରୁଣା ବିଏସ୍୪ ଯାନ ତୁଳନାରେ କ୍ଷତିକାରକ ଧୂଆଁ ନିର୍ଗମନକୁ ବହୁ ପରିମାଣରେ ହ୍ରାସ କରିଥାଏ। ପ୍ରଦୂଷଣ ସୃଷ୍ଟିକାରୀ ବାଣିଜି୍ୟକ ଯାନଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାରୁ ରୋକିବା ପାଇଁ ଏକ ଦୀର୍ଘକାଳୀନ ଯୋଜନାର ଆବଶ୍ୟକତା ଉପରେ ମଧ୍ୟ ସର୍ବୋଚ୍ଚ ଅଦାଲତ ଗୁରୁତ୍ୱାରୋପ କରିଛନ୍ତି। ଏହି ସଂକ୍ଷିପ୍ତ ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ବାୟୁ ପ୍ରଦୂଷଣ ପ୍ରସଙ୍ଗରେ ଏନ୍ସିଆର୍ ରାଜ୍ୟଗୁଡ଼ିକର ଉତ୍ତରଦାୟିତ୍ୱ ଲୋଡ଼ିବା ସହ ସେମାନେ କାହିଁକି ଏହି ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।