ସମସ୍ତ ଦୋଷୀ ଫାଶୀଖୁଣ୍ଟରେ ଝୁଲିଲା ପରେ ହିଁ ଶାନ୍ତି ପାଇବ ପୀଡ଼ିତାଙ୍କ ଆତ୍ମା: ବିଜୁ ଛାତ୍ର ଜନତା ଦଳ

ଭବାନୀପାଟଣା,୩।୧୦(ଡି.ଏନ୍‌.ଏ.): ଉତ୍ତରପ୍ରଦେଶର ହାଥରସ ଗଣବଳାତ୍କାର ଓ ହତ୍ୟାକାଣ୍ଡ ମାମଲାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଏହି କ୍ରମରେ କଳାହାଣ୍ଡି ଜିଲା ବିଜୁ ଛାତ୍ରଜନତା ଦଳ ତରଫରୁ ପୀଡ଼ିତାଙ୍କୁ ନ୍ୟାୟ ଦେବା ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରି ଫାଶୀ ଦେବାକୁ ଦାବି ହୋଇଛି। ଏ ନେଇ ସ୍ଥାନୀୟ ଗାନ୍ଧିଛକସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରତିବାଦ କରାଯାଇଛି। ଏହି ମାମଲାରେ ୟୁପି ସରକାର ଓ ପୋଲିସର ଭୂମିକା ସନ୍ଦେହ ଘେରକୁ ଆସୁଥିବା ପ୍ରସଙ୍ଗକୁ ଛାତ୍ର ନେତାମାନେ ଉଠାଇଛନ୍ତି। ସମସ୍ତ ଦୋଷୀ ଫାଶୀଖୁଣ୍ଟରେ ଝୁଲିଲା ପରେ ହିଁ ପୀଡିତାଙ୍କ ଆତ୍ମା ଶାନ୍ତି ପାଇବ ବୋଲି ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର କହିଛନ୍ତି।