Categories: ଜାତୀୟ

ଅନ୍‌ଲାଇନ ଶୈକ୍ଷିକ ଗେମ୍‌ ‘ଆଜାଦୀ କ୍ୱେଷ୍ଟ’ ଶୁଭାରମ୍ଭ

ନୂଆଦିଲ୍ଲୀ,୨୫।୮(ପି.ଆଇ.ବି): ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତୀୟ ସ୍ବାଧୀନତ ସଂଗ୍ରାମର ଗୌରବ ଗାଥାର ପ୍ରଚାର ପ୍ରସାର ଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଏକ ଶିକ୍ଷଣୀୟ ଅନ୍‌ଲାଇନ ମୋବାଇଲ ଗେମ୍‌ ସିରିଜ୍‌ ‘ଆଜାଦୀ କ୍ୱେଷ୍ଟ’ର ଶୁଭାରମ୍ଭ କରିଛନ୍ତି। ବେଙ୍ଗାଲୁରୁର ଅନ୍‌ଲାଇନ ଗେମ୍‌ କମ୍ପାନୀ ଜିଙ୍ଗା ଇଣ୍ଡିଆ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ମିଳିତ ଭାବେ ଉକ୍ତ ଅନ୍‌ଲାଇନ ଗେମ୍‌ର ବିକାଶ କରିଛନ୍ତି। ଏଥିପାଇଁ ଉଭୟଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଏହାର ଲଞ୍ଚ୍‌ ଅବସରରେ ମନ୍ତ୍ରଣାଳୟର ସଚିବ ଅପୂର୍ବା ଚନ୍ଦ୍ରା, ଜିଙ୍ଗା ଇଣ୍ଡିଆର ଭାରତ ପାଇଁ ଥିବା ମୁଖ୍ୟ କିଶୋର କିଚ୍‌ଲି ପ୍ରମୁଖ ଉପସ୍ଥିତ ଥିଲେ।

ସ୍ବାଧୀନତା ଆନ୍ଦୋଳନରେ ଭାଗ ନେଇଥିବା ଅଖ୍ୟାତ ସଂଗ୍ରାମୀ ଓ ସେମାନଙ୍କ ଅବଦାନକୁ ସ୍ବୀକୃତି ଦେବା ଏହି ଅନ୍‌ଲାଇନ ଗେମ୍‌ର ମୁଖ୍ୟ ଉଦ୍ଦେଶ୍ୟ। ଦେଶର ସବୁ ବୟସ ବର୍ଗର ଲୋକେ ଏହି ଗେମ୍‌ରେ ସାମିଲ ହେବେ ବୋଲି ଅନୁରାଗ ଆଶାବ୍ୟକ୍ତ କରିଛନ୍ତି। ଖେଳନା ଓ ଗେମ୍‌ ମାଧ୍ୟମରେ ଲୋକମାନଙ୍କୁ ଯୋଡ଼ିବା, ସେମାନଙ୍କ ମନୋରଞ୍ଜନ କରାଇବା ଓ ଶିକ୍ଷା ପ୍ରଦାନ ଲାଗି ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଥିଲେ। ଆଜାଦୀ କ୍ୱେଷ୍ଟ ଏହାର ଏକ ଅଂଶବିଶେଷ। ଭାରତରେ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ଡିଭାଇସ୍‌ରେ ଇଂଲିଶ ଓ ହିନ୍ଦୀରେ ଏହା ଲଞ୍ଚ ହୋଇଥିବାବେଳେ ସେପ୍ଟେମ୍ବରରେ ସାରା ବିଶ୍ୱରେ ଉପଲବ୍ଧ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Share