ଗୋଟିଏ ବର୍ଷ ବ୍ୟର୍ଥ

କରୋନା ଭୂତାଣୁ ଯୋଗୁ ସଂକ୍ରମଣ ବ୍ୟାପକ ହେଉଥିବାରୁ ନୂଆଦିଲ୍ଲୀରେ ୧୯ ଏପ୍ରିଲରେ ୬ ଦିନ ପାଇଁ ଲକ୍‌ଡାଉନ ବା ତାଲାବନ୍ଦ ଘୋଷଣା କରାଯାଇଛି। ସେଠାରେ ୩ ଜଣଙ୍କର କରୋନା ପରୀକ୍ଷା କରାଗଲେ ସେଥିରୁ ଏକତୃତୀୟାଂଶଙ୍କଠାରେ ପଜିଟିଭ୍‌ ବାହାରୁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲ କହିଛନ୍ତି ଯେ, ଲକ୍‌ଡାଉନର ସେ ଘୋର ବିରୋଧୀ ଥିଲେ। କିନ୍ତୁ ସ୍ଥିତି ଅଣାୟତ୍ତ ହେଉଥିବାରୁ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ବରୂପ ଏଭଳି ସାମୟିକ ପଦକ୍ଷେପ ନିଆଯାଇଛି। ଗତବର୍ଷ ଯେତେବେଳେ କୋଭିଡ୍‌ର ପ୍ରଥମ ଲହର ଦେଖାଦେଇଥିଲା ବିଶେଷଜ୍ଞମାନେ ମତ ଦେଇଥିଲେ ଯେ, କୌଣସି ସ୍ଥାନରେ ଭୂତାଣୁ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ସକାଶେ ସର୍ବନିମ୍ନ ୨୧ ଦିନ ଦରକାର। ଆଜିର ସ୍ଥିତିରେ ‘ଡବଲ ମ୍ୟୁଟେଶନ’ ଅତ୍ୟନ୍ତ ମାରାତ୍ମକ ବୋଲି କୁହାଗଲାଣି। ଏଥିରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଟିକା ନେଇଥିଲେ ମଧ୍ୟ ତାହା କାମ ଦେଉନି। ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା କରୋନା ଭାଇରସ୍‌ର ଏହି ନୂଆ ରୂପ ହେଉଛି ‘ବି.୧.୬୧୭’। ଏହାର ଦୁଇ ଆକାରର ଗାଣିତିକ ସଙ୍କେତ ହେଉଛି ‘ଇ୪୮୪କ୍ୟୁ’ ଏବଂ ‘ଏଲ୍‌୪୫୨ଆର୍‌’। ନିକଟରେ ଏ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)କୁ ପ୍ରଦାନ କରାଯାଇଛି। ବୈଜ୍ଞାନିକଙ୍କ ଗବେଷଣା ନିର୍ଭୁଲ ଥିଲେ ଏହି ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହେଉଥିବା ଲୋକେ ଦେଶ ପାଇଁ ଆହୁରି ବିପଦ ସୃଷ୍ଟି କରିବେ।
ଦେଶର ପ୍ରତି ପ୍ରାନ୍ତରକୁ ଦେଖିଲେ ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା କମ୍‌, ଅମ୍ଳଜାନ ସିଲିଣ୍ଡରର ଘୋର ଅଭାବ, ଅତ୍ୟନ୍ତ ଜଟିଳ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଯତ୍ନ କେନ୍ଦ୍ର କମ୍‌ ଥିବାରୁ ସ୍ଥିତି ଗମ୍ଭୀର ଆଡ଼କୁ ଗତି କରୁଛି। ଦିଲ୍ଲୀରେ କୋଭିଡ୍‌ ରୋଗୀଙ୍କୁ ଚିକିତ୍ସା ଯୋଗାଉଥିବା ଜଣେ ଡାକ୍ତର ନିଜ ପାଇଁ ଶଯ୍ୟାଟିଏ ଯୋଗାଡ଼ କରିପାରିଲେ ନାହିଁ। ଏଭଳି ସ୍ଥଳରେ ଯାହା ସବୁଠାରୁ ଅତ୍ୟନ୍ତ ଜରୁରୀ ତାହା ହେଲା ସ୍ବାସ୍ଥ୍ୟସେବାକୁ ତୁରନ୍ତ ତ୍ୱରାନ୍ବିତ କରାଯାଉ। କାର୍ଯ୍ୟକ୍ଷମ ଥିବା ସରକାରୀ, ଘରୋଇ ହସ୍‌ପିଟାଲ ପର୍ଯ୍ୟାପ୍ତ ହେଉ ନ ଥିବାରୁ ଦେଶର ସେନାରେ ଥିବା ମେଡିକାଲ ଶାଖାକୁ ନିୟୋଜିତ କରାଯାଇ ତୁରନ୍ତ ନୂଆ ହସ୍ପିଟାଲର ବ୍ୟବସ୍ଥା କରାଯିବା ଦରକାର। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସେନାର ଏକ ବିରାଟକାୟ ମେଡିକାଲ ଶାଖା ରହିଛି। ତାହା ସାଧାରଣତଃ ଯୁଦ୍ଧବେଳେ ବ୍ୟବହୃତ ହୋଇଥାଏ। ଶାନ୍ତି ସମୟରେ ତାହାର ସର୍ବନିମ୍ନ ଉପଯୋଗ ହୁଏ। ଆଜି ଦେଶ ଏକ ଯୁଦ୍ଧକାଳୀନ ସ୍ଥିତିର ସମ୍ମୁଖୀନ ହୋଇଛି। ଚାଇନା ଯାହା ନେବା କଥା ନେଇସାରିଲାଣି। ଏବେ ଭାରତୀୟ ସେନାର ଦାୟିତ୍ୱ ଦେଶର ଆଭ୍ୟନ୍ତରୀଣ ମଙ୍ଗଳ ବୁଝିବାର। ସେଥିପାଇଁ ସେନାର ମେଡିକାଲ ଶାଖାକୁ କୋଭିଡର ମାରାମତ୍କ ସ୍ଥିତିକୁ ସାମ୍ନା କରିବାରେ ମୁତୟନ କରାଯିବା ଦରକାର। ଏଥିସହିତ ଡାକ୍ତରୀ ଉପକରଣ ହେଉ ବା ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକୁ ଅଧିକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲାଗି ଭିତ୍ତିଭୂମି ସୃଷ୍ଟି କରିବା ସକାଶେ ସରକାରୀ ସ୍ତରରେ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ ହୋଇପଡ଼ିଲାଣି। କରୋନା ଗୋଟିଏ ବର୍ଷ ସମୟ ଦେଇଥିଲା। ସେହି ଦୀର୍ଘ ସମୟକୁ ଭାରତ ସରକାରଙ୍କ ସମେତ ରାଜ୍ୟ ସରକାରଗୁଡ଼ିକ ବ୍ୟର୍ଥ କରିଦେଲେ। ଯଦି ୨୦୨୦ ମସିହାକୁ ସଦ୍‌ଉପଯୋଗ କରି କରୋନା ଭାଇରସ୍‌ର ପାଣ୍ଡାମିକ ବା ମହାମାରୀକୁ ସାମ୍ନା କରିବା ପାଇଁ ବ୍ୟବସ୍ଥା ସୁଦୃଢ଼ କରାଯାଇଥାଆନ୍ତା, ତେବେ ଆଜିର ଏହି ଭୟାନକ ପରିସ୍ଥିତି ଉପୁଜିଥିଲେ ମଧ୍ୟ ଅନେକ ଦିଗରୁ ମୁକାବିଲା କରାଯାଇପାରିଥାଆନ୍ତା। ହେଲେ ସେଥିରେ ପ୍ରଶାସନିକ ବ୍ୟବସ୍ଥା ଆଖିଦୃଶିଆ ପଦକ୍ଷେପ ନେଇପାରିଲା ନାହିଁ। ଏ ଦେଶରେ ଦୀର୍ଘମିଆଦୀ ଚିନ୍ତାଧାରା କରାଯାଏ ନାହିଁ। ତାଳିପକା ଭଳି ଅସ୍ଥାୟୀ କାମ କରି ଚଳେଇ ନେବାର ମାନସିକତା ପ୍ରତ୍ୟେକଙ୍କ ମନରେ ବସା ବାନ୍ଧି ରହିଥିବାରୁ ବିପଦ ଆସିଲା ବେଳକୁ ହଡ଼ବଡ଼େଇ ଯାଉଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ଭୂତାଣୁର ପ୍ରାଦୁର୍ଭାବ ଶୀର୍ଘ ଛୁଇଁଥିଲା। ଡିସେମ୍ବର ବେଳକୁ ତାହାର ପ୍ରକୋପ ହ୍ରାସ ପାଇବାରୁ ସବୁକିଛି ଖୋଲାମେଲା କରିଦିଆଗଲା। ଫଳରେ ସ୍ଥିତି ଆଜି ସଙ୍ଗିନ ଅବସ୍ଥାରେ ପହଞ୍ଚିଛି। ଭୂତାଣୁର ଡବଲ୍‌ ମ୍ୟୁଟେଶନ ଦେଖାଦେଇଥିବାରୁ ତାହା ପିଲା ଓ ଯୁବବର୍ଗଙ୍କୁ ଅଧିକ ଆକ୍ରାନ୍ତ କରୁଛି ବୋଲି ଗବେଷକମାନେ ମତ ଦେଉଛନ୍ତି। ଏଥିସହିତ କୁହାଗଲାଣି କରୋନାର ପ୍ରଥମ ଲହରରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କୁ ଜ୍ୱର, କାଶ, ଛିଙ୍କ ଭଳି ପ୍ରାରମ୍ଭିକ ଲକ୍ଷଣ ଦେଖାଦେଉଥିଲା। ଫଳରେ ଜଣେ ଶାରୀରିକ ପରୀକ୍ଷା କଲା ପରେ ପଜିଟିଭ୍‌ ଚିହ୍ନଟ ହୋଇପାରୁଥିଲେ ଓ ସୁସ୍ଥ ହେବା ପାଇଁ ଔଷଧ ସେବନ କରୁଥିଲେ। ହେଲେ ଦ୍ୱିତୀୟ ଲହରରେ ପ୍ରାୟ ସେଭଳି ଲକ୍ଷଣ ଦେଖା ଦେଉନାହିଁ। ତେଣୁ ଜଣଙ୍କ ଦେହ ଭିତରେ ଭୂତାଣୁ ସକ୍ରିୟ ରହୁଥିଲେ ତାଙ୍କଠାରୁ ସହଜରେ ଅନ୍ୟମାନଙ୍କୁ ସଂକ୍ରମଣ ବ୍ୟାପି ଯାଉଛି।
ଓଡ଼ିଶାରେ ମଧ୍ୟ ସ୍ଥିତି ଭୟଙ୍କର ହେଉଛି। ଏକ ପରିସଂଖ୍ୟାନ ଦେଖିଲେ ଚଳିତ ବର୍ଷ ଏପ୍ରିଲ ପହିଲାରେ ରାଜ୍ୟରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪ ଥିଲା। ଏପ୍ରିଲ ୯ରେ ଏହା ୧ ହଜାର ଅତିକ୍ରମ କରିଥିବା ବେଳେ ଏପ୍ରିଲ ୧୪ରେ ୨ ହଜାର, ଏପ୍ରିଲ ୧୬ରେ ୩ ହଜାର ଏବଂ ୧୯ ଏପ୍ରିଲରେ ୪,୪୪୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରୁ ବୁଝିହେଉଛି କେଉଁ ହାରରେ ଭୂତାଣୁ ତା’ର କାୟାବିସ୍ତାର କରିଚାଲିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ସଂଖ୍ୟା କେବଳ କରୋନା ପରୀକ୍ଷା କରୁଥିବା ଲୋକଙ୍କ ମଧ୍ୟରୁ ସଂଗ୍ରହ କରାଯାଇଛି। ସମ୍ଭବତଃ ଅଧିକ ସଂଖ୍ୟକ ପରୀକ୍ଷା କରାଗଲେ ଏହା ଏବକାର ସଂଖ୍ୟାଠାରୁ ଅନେକ ଅଧିକ ରହିବ।
ସ୍ଥିତି ଗମ୍ଭୀର ହେଉଥିବାରୁ ଓଡ଼ିଶା ସରକାର ୧୯ ଏପ୍ରିଲରେ ସମଗ୍ର ରାଜ୍ୟରେ ଶନିବାର ଓ ରବିବାର ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିସହିତ କେନ୍ଦ୍ର ସରକାର ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଟିକା ଦିଆଯିବ ବୋଲି କହିଲେଣି। ଉତ୍ପାଦନକାରୀଙ୍କଠାରୁ କେନ୍ଦ୍ର ସରକାର ୫୦ ପ୍ରତିଶତ ଟିକା କିଣିବେ। ସେହିପରି ରାଜ୍ୟ ସରକାର ଓ ଶିଳ୍ପସଂସ୍ଥାଗୁଡ଼ିକ ନିର୍ଦ୍ଧାରିତ ମୂଲ୍ୟରେ ନିଜ ଚାହିଦା ଅନୁଯାୟୀ ଉତ୍ପାଦକଙ୍କଠାରୁ ଟିକା କିଣିପାରିବେ। କେନ୍ଦ୍ର ସରକାର କିଣିଥିବା ଟିକାକୁ ରାଜ୍ୟଗୁଡ଼ିକର ସ୍ଥିତି ଅନୁଯାୟୀ ସ୍ଥିରୀକୃତ ମାପକାଠିରେ ଦେବାର ବ୍ୟବସ୍ଥା କରାଯାଇଛି। ଏଠାରେ କୁହାଯାଇପାରେ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଲା ବଜାରରୁ ରାଜ୍ୟ ସରକାରଗୁଡ଼ିକ ଚାହିଦା ଅନୁଯାୟୀ ଟିକା କିଣିବା ଲାଗି ୧୭ ଏପ୍ରିଲରେ ପ୍ରସ୍ତାବ ଦେଇଥିଲେ । ଏବେ ତାହା କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଛି। ତଥାପି ଟିକା ଯେ ଲୋକଙ୍କ ଜୀବନ ରକ୍ଷା କରିବ ତାହା ସୁନିଶ୍ଚିତ କରାଯାଇପାରୁ ନାହିଁ। କାରଣ ଏହି ଟିକାର ଉଚିତ ସମୟ ଧରି ପରୀକ୍ଷା କରାଯାଇନାହିଁ। ଦ୍ୱିତୀୟ କରୋନା ଭାଇରସ୍‌ର ଚରିତ୍ର ବଦଳୁଛି, ଯେଉଁଥିପାଇଁ ଏହି ପୁରୁଣା ଟିକାର ପ୍ରଭାବ ଉପରେ ସ୍ବାଭାବିକ ସନ୍ଦେହ ସୃଷ୍ଟି ହେଉଛି। ତୃତୀୟରେ ଭାରତରେ ନିର୍ମିତ କୋଭାକ୍ସିନ୍‌ର କୌଣସି ଉପାୟରେ ପରୀକ୍ଷା ହୋଇ ନଥିବାବେଳେ ଆଷ୍ଟ୍ରାଜେନିକାର ଭାରତୀୟ ସଂସ୍କରଣ ‘କୋଭିଶିଲ୍ଡ’ ୟୁରୋପର ଅଧିକାଂଶ ଦେଶରେ ନିଷିଦ୍ଧ କରାଯାଇସାରିଲାଣି। ଅର୍ଥାତ୍‌ ଭାରତରେ ମିଳୁଥିବା ଦୁଇଟି ଟିକା ଭରସାଯୋଗ୍ୟ ହେଉନାହିଁ। ସେଥିପାଇଁ କୁହାଯାଇପାରିବ ଯେ, ଟିକା ଦେଇଥିବା ନାଗରିକମାନେ ମଧ୍ୟ ଅତ୍ୟନ୍ତ ସଜାଗ ରହିବା ଦରକାର। ସେମାନେ ମଧ୍ୟ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ବାରମ୍ବାର ହାତ ଧୋଇବା ନିୟମକୁ କଡ଼ାକଡ଼ି ପାଳନ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri